ହରଭଙ୍ଗା୧୪/୮:- ହରଭଙ୍ଗା ବ୍ଲକ ଧଳପୁର -ପୁରୁଣାକଟ ପୂର୍ତ୍ତ ରାସ୍ତା ଧଳପୁର ପୁରୁଣା ଇଣ୍ଡିଆନ ବ୍ୟାଙ୍କ ନିକଟରେ ଥିବା କଲଭର୍ଟରେ ଡ୍ରେନେଜ ସମସ୍ୟାକୁ ନେଇ ଦୀର୍ଘଦିନ ହେଲା ସ୍ଥାନୀୟ ଲୋକଙ୍କ ଅଭିଯୋଗ ହୋଇଆସୁଥିବା ବେଳେ ତଳପାଖରେ ଥିବା ଜମି ମାଲିକ ନିଜସ୍ୱ ପଟା ଜମି କହି ପାଣି ସ୍ରୋତ ସ୍ଥାନକୁ ଜୋର ଜବରଦସ୍ତ ଅବରୋଧ କରିଥିବାରୁ ତାହାକୁ ନେଇ ବହୁ ସମୟରେ ଚାଷୀ ଓ ସ୍ଥାନୀୟ ଲୋକଙ୍କ ଭିତରେ ଜନସନ୍ତୋଷ ବୃଦ୍ଧି ପାଇ ଆସୁଥିଲା । ଏପରିକି ଉକ୍ତ ସମସ୍ୟା ନେଇ ଜିଲ୍ଲାପାଳ ଙ୍କ ନିକଟରେ ଧଳପୁର ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ମଧ୍ୟ ଏହାର ୩ଦିନ ମଧ୍ୟରେ ସମାଧାନ ପାଇଁ କ୍ଷୁଦ୍ର ଜଳସେଚନ ସହକାରୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶର ୭ଦିନ ପରେ ମଧ୍ୟ କୌଣସି ସମାଧାନ ବାଟ ଫିଟିପାରିନଥିଲା । ସେନେଇ ସୋମବାର ଦିନ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଆଦେଶକ୍ରମେ ହରଭଙ୍ଗା ତହସିଲଦାର ଶିବାନୀ ଦାସ ଓ ପୋଲିସଙ୍କ ଉପସ୍ଥିତିରେ ପୋଲର ଅବରୋଧ ହୋଇଥିବା ସ୍ଥାନକୁ ଜେସିବି ଦ୍ୱାରା ଏକ ଅସ୍ଥାୟୀ କେନାଲ ଖୋଳିଥିଲେ । ଫଳରେ ନିର୍ଦ୍ଦିିଷ୍ଟ ବ୍ୟକ୍ତି ଜଣଙ୍କ ନିଜର ଜମିଉପରେ କେନାଲ କହିଁକି ଖୋଳାଯାଉଛି କହି ପ୍ରତିବାଦ କରିବସିଥିଲେ । ଏଭଳି କି ସମସ୍ୟାକୁ ନେଇ ଘଟଣା ସ୍ଥଳରେ କିଛି ସମୟ ଉତ୍ତେଜନା ଦେଖାଯାଇଥିଲା । ଏନେଇ ତହସିଲଦାର ଶିବାନୀ ଦାସଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ପୂର୍ବରୁ ସେଇ କଲଭର୍ଟଟି ଜଳସ୍ରୋତ ଥିଲା । ଯେହେତୁ ସେଇ ସ୍ଥାନକୁ ବଳପୂର୍ବକ ଅବରୋଧ କରିଥିବାରୁ ବର୍ଷାଦିନ ପାଣି ନିଷ୍କାସନ ହୋଇପାରୁନଥିବା ବେଳେ ଚାଷୀ ଚାଷ କ୍ଷେତ୍ରରେ ପାଣିରୁ ବଞ୍ଚିତ ହେଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ । ସେନେଇ ଘଟଣା ସ୍ଥଳକୁ ଯାଇ କ୍ଷେତ୍ର ପରିଦର୍ଶନ କରିବା ଏବଂ ଜନସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ତୁରନ୍ତ ଏକ ଅସ୍ଥାୟୀ କେନାଲ ଖୋଳାଯାଇଛି । ଏସମ୍ପର୍କରେ କ୍ଷୁଦ୍ରଜଳସେଚନ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦେଇ ଏକ କଂକ୍ରିଟ କେନାଲ ଖୁବ ଶୀଘ୍ର ତିଆରି କରିବାପାଇଁ ନିର୍ଦ୍ଦେଶ ଦିଆଯିବ ଏବଂ ଉକ୍ତ ସ୍ଥାନରେ ଯଦି କୌଣସି ବେଆଇନ ଭାବେ ଜବର ଦଖଲ ହୋଇଥାଏ ତାହାଲେ ଦୋଷୀ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ଅନ୍ୟପଟେ ସରକାରଙ୍କ ନିୟମ ଅନୁଯାୟୀ ଜଳସ୍ରୋତ ବା ନୟନ ଜୋରି କିସମକୁ ଜଣେ କିଭଳି ନିଜର ଘରବାରୀ ଜମି ଭାବରେ ରେକର୍ଡଭୁକ୍ତ କରାଗଲା ଏବଂ କିପରି ଭାବରେ କେଉଁ ଅଧିକାରୀ ଏହାକୁ ଅନୁମତି ଦେଲେ ତାହାର ପ୍ରକୃତ ତଦନ୍ତ କରି ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଚାଷୀ ନେତା ଇଂ ବିକାଶ ମହାକୁଳ ଓ ଗ୍ରାମବାସୀ ଦାବୀ କରିଛନ୍ତି ।