ହରଭଙ୍ଗା ବ୍ଲକରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମ

ହରଭଙ୍ଗା,୧୨/୧୦:- ବିଭିନ୍ନ ସମୟରେ ସାଧାରଣ ଜନତା ସାଇବର ଠକାମିରେ ନିଜର ଅର୍ଜିତ ସମ୍ପତି ହରାଇ ବସୁଥିବା ସାଧାରଣରେ ଲୋକଲୋଚନକୁ ଆସିଛି । ଏହାର ସୁରକ୍ଷା ଉପରେ ସରକାର ପୋଲିସ ପ୍ରଶାସନକୁ ନେଇ ସାଇବର ଠକାଇ ସଚେତନତା କାର୍ଯ୍ୟକ୍ରମ ସାରା ଓଡ଼ିଶାରେ ଆରମ୍ଭ କରିଥିବାବେଳେ ଆଜି ବୌଦ୍ଧ ଜିଲ୍ଲା ପୋଲିସ ପକ୍ଷରୁ ଗତ ୨ତାରିଖ ଗାନ୍ଧି ଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ସାଇବର ସୁରକ୍ଷା ଅଭିଯାନ ସଚେତନତା ରଥ ବୁଧବାର ଦିନ ପୁରୁଣା କଟକ ଥାନାରେ ପହଞ୍ଚି଼ିଥିଲା । ଉକ୍ତ ରଥକୁ ପୁରୁଣାକଟକ ଥାନା ଅଧିକାରୀ ରଞ୍ଜିତ ମୁନିଙ୍କ ତତ୍ତ୍ୱାବଧାନରେ ସ୍ୱାଗତ କରାଯାଇଥିଲା । ଏହାପରେ ପୁରୁଣାକଟକ ଥାନା ପରିସରରୁ ଏକ ବାଇକ ରାଲିରେ ସଚେତନତା ରଥ ବାହାରି ଚାରିଛକ ବଜାର, ପୁରୁଣା କଟକ ବଜାର, ଯୁକ୍ତ ଦୁଇ କନିଷ୍ଠ ମହାବିଦ୍ୟାଳୟରେ ପହଁଚିଥିଲା । ଶେଷରେ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟକୁ ପହଞ୍ଚି ଏକ ସାଧାରଣ ସଚେତନତା ସଭା କରାଯାଇ ସାଇବର ସୁରକ୍ଷା ଉପରେ ଛାତ୍ରଛାତ୍ରୀଙ୍କ ସମେତ ଉପସ୍ଥିତ ଥିବା ମହାବିଦ୍ୟାଳୟ କର୍ମଚାରୀ ଓ ଜନସାଧାରଣଙ୍କୁ ସାଇବର ଠକରୁ ନିଜକୁ କିପରି ସୁରକ୍ଷିତ ରଖିବେ ସେନେଇ ସଚେତନତା ପାଇଁ ବିଭିନ୍ନ ପନ୍ଥା ଓ ମାର୍ଗଦର୍ଶନ ଦିଆଯାଇଥିଲା । ଏହି ସାଇବର ସଚେତନତା ଅଭିଯାନରେ ଟିମର ସଦସ୍ୟା ଏସ ଆଇ ରଶ୍ମିତା ମଗର ଏବଂ ଟିମ ର ମୁଖ୍ୟ ତୁଲାରାମ ମହାନନ୍ଦ, ସାଇବର ସୁରକ୍ଷା ଉପରେ ବିଭିନ୍ନ ସଚେତନତା ବାର୍ତ୍ତା ବାଣ୍ଟିଥିଲେ । ସଚେତନତା ରାଲିରେ ଏସ ଆଇ ହଷିକେଶ ମେହେର, ଡିସିବି ବ୍ୟାଙ୍କ ମ୍ୟାନେଜର ପଲ୍ଲବ ରଥ, ବିଭାଗ ପରିଚାଳନା ସୃତି ମହାପାତ୍ରଙ୍କ ସମେତ ଡିଗ୍ରୀ ମହାବିଦ୍ୟାଳୟ ଅଧକ୍ଷ ରମେଶ ଚନ୍ଦ୍ର ତାରିଣୀଆଁ, ଅଧ୍ୟାପକ ଲଳିତ ମେହେର, ପ୍ରମୋଦ ମହାପାତ୍ର ଓ ଯୁକ୍ତ ଦୁଇ ଅଧକ୍ଷା ଧରିତ୍ରୀରାଣୀ କାନୁନଗୋ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା କଲେଜ କର୍ମଚାରୀ ଓ ଜଣାସାଧାରଣ ଉପସ୍ଥିତ ଥିଲେ । ଅପରାହ୍ନରେ ପୁରୁଣାକଟକ ଥାନା ଅଧିକାରୀ ରଞ୍ଜିତ କୁମାର ମୁନିଙ୍କ ତତ୍ୱାବଧାନରେ ବ୍ଲକର ଜନଗହଳିପୂର୍ଣ୍ଣ ସ୍ଥାନରେ ସାଇବର ଠକାଇର ସଚେତନତା ବାର୍ତ୍ତା ଦିଆଯାଇଥିଲା ।

Comments (0)
Add Comment