ହରଭଙ୍ଗା ,୧୦/୮:- ତିନି ମାସର ରାସନ ଚାଉଳ ନ ପାଇବାରୁ ରାଜରାସ୍ତା ରୋକ କରିଥିଲେ ଦୁଇଟି ଗ୍ରାମର ଗ୍ରାମବାସୀ । ପରେ ହରଭଙ୍ଗା ବିଡିଓଙ୍କ ପ୍ରତିଶୃତି ପରେ ରାଜରାସ୍ତା ସ୍ୱାଭାବିକ ହୋଇଥିବା ଜଣାପଡିଛି । ସୂଚନା ମତେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହପୁର ପଞ୍ଚାୟତର ନୂଆପଡା ଓ ବାଲିପୁର ଗ୍ରାମର ଗ୍ରାମବାସୀଙ୍କ ସୂଚନା ମତେ ପଞ୍ଚାୟତର ଅନ୍ୟ ସବୁ ଗ୍ରାମକୁ ସରକାରଙ୍କ ମାଗଣା ଚାଉଳ ତିନି ମାସର ଦେଇଥିବା ବେଳେ ଉକ୍ତ ଦୁଇଟି ଗାଁ ଏଥିରୁ ବାଦ ପଡିଛନ୍ତି । ବାରମ୍ବାର ପଞ୍ଚାୟତକୁ ଯାଇ ଚଳିତବର୍ଷ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସର ଚାଉଳ ନପାଇ ନିରାଶ ହୋଇ ଫେରିଥବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ଘଟଣାକୁୁ ନେଇ ସ୍ଥ।ନୀୟ ସରପଞ୍ଚଙ୍କୁ ଅଭିଯୋଗ ପରେ ମଧ୍ୟ ଚାଉଳ ମିଳିନଥିବାରୁ ବାଧ୍ୟହୋଇ ନୂଆପଡା ଓ ବାଲିପୁରର ପ୍ରାୟ ୧୩୦ଜଣ ରାସନକାର୍ଡ ହିତାଧିକାରୀ ଚାଉଳ ପାଇନଥିବା ପ୍ରତିବାଦରେ ରାସନକାର୍ଡକୁ ହାତରେ ଧରି ନୂଆପଡା ଛକ ଖୋର୍ଦ୍ଧା -ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ଅବରୋଧ କରିବା ସହିତ ଚାଉଳ ନପାଇବା ପର୍ଯ୍ୟନ୍ତ ରାସ୍ତାରୁ ହଟିବୁ ନାହିଁ ନାରା ଦେଇଥିଲେ । ଫଳରେ ଏକ ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ବନ୍ଦ ହୋଇଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଘଟଣାଟି ପ୍ରଘଟ ପରେ ବୌଦ୍ଧ ପିସିଆର ପହଞ୍ଚି ରାସ୍ତାରୋକକୁ ଏଡାଇବାରେ ଅକ୍ଷମ ହେବାରୁ ହରଭଙ୍ଗା ବିଡ଼ିଓ ସ୍ୱପ୍ନିତା ନାଏକ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ଆସନ୍ତାକାଲି ଚାଉଳ ପାଇବାରୁ ବଞ୍ଚିତ ହିତାଧିକାରୀକୁ ଚାଉଳ ଦିଆଯିବ ବୋଲି ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା ଓ ଜାତୀୟ ରାଜପଥ ସ୍ୱାଭାବିକ ହୋଇଥିଲା ।