ଝାଟି ମାଟି କୁଡ଼ିଆରେ ବିତୁଛି ଦେବକୀଙ୍କ ଜୀବନ

ହରଭଙ୍ଗା,୧୬/୫:- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଦର୍ଶ ଗାଁ କୁମାରୀ ଗ୍ରାମରେ ଝାଟିମାଟି କୁଡ଼ିଆରେ ନିରାଶ୍ରୀ ଦେବକୀ ଦେହୁରୀ ଦିନ କାଟୁଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଓଡ଼ିଶା ସରକାର ମା ପେଟରୁ ମଣିଷ ଶ୍ମଶାନ ଯିବାଯାଏ ବିଭିନ୍ନ ଯୋଜନା ଚଳାଇଥିବା ବେଳେ ଏହା ଫେଲ ମାରିଛି ନିରାଶ୍ରୀ ଦେବକୀ ଦେହୁରୀ ପାଖରେ । ବାପା ସୁବାଷ ଦେହୁରୀ ଓ ମାଆ ବହୁଦିନ ହେଲା ଆରପାରିକୁ ଚାଲିଯିବା ପରେ ଏକାକୀ ଦେବକୀ ବାପ ମାକୁ ଝୁରି ଝୁରି ମାନସିକ ସ୍ତରରେ ବିକଳାଙ୍ଗ ହୋଇଯାଇଛି । ଭାଇମାନେ ମଧ୍ୟ ପଚାରୁନାହାନ୍ତି । ଯିଏ ଯାହା ଦେଲା ଖାଇ ଏବେ ନିରାଶ୍ରୀ ଗାଁ ମୁଣ୍ଡରେ ଏକ ଭଙ୍ଗା ଝାଟି ମାଟି ଚାଳିଆରେ ରହୁଛି । ଖରା, ବର୍ଷା, ଶୀତ, କାକରରେ ନିଃସଙ୍ଗ ଦିନ କାଟୁଛି ଦେବକୀ । ଦେବକୀର କହିବାନୁଯାୟୀ ଘର ଖଣ୍ଡେ ପାଇଁ ବହୁବାର ବିଭିନ୍ନ ଅଧିକାରୀଙ୍କୁ ଗୁହାରୀ କଲାପରେବି କାହାର ନଜର ପଡୁନି ଏହି ଅସହାୟ ମହିଳାଙ୍କ ଉପରେ । ଏଇ କେତେଦିନ ହେଲା ଗ୍ରୀଷ୍ମ ପ୍ରବାହରେ ଦିନ ୧୦ଟା ହେଲେ ଅସମ୍ଭାଳ ହୋଇଯାଇଛି ପରିବେଶ । ଫ୍ୟାନ, ଏ ସି ତଳେ ରହି ଲୋକଙ୍କୁ ପ୍ରଚଣ୍ଡ ରୌଦ୍ରତାପରୁ ତ୍ରାହି ମିଳୁନାହିଁ । ଏମିତି ପରିସ୍ଥିତିରେ କେମିତି ଦିନ କାଟୁଛି ଦେବକୀ ଦେହୁରୀ ବୋଲି ସାଧାରଣରେ ଚର୍ଚ୍ଚା ହେବା ସହିତ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ତରଫରୁ ଦେବକୀକୁ ବାସଗୃହ ଖଣ୍ଡେ କିମ୍ବା ଅନ୍ୟ କୌଣସି ଥଇଥାନ କଲେ ଅନ୍ତତଃ ବାକି ଜୀବନ କିଛିଟା ସୁଖରେ ରହିବ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି ।

Comments (0)
Add Comment