ଆମ୍ବୁଲାନ୍ସ ନଯିବାରୁ ଗର୍ଭବତୀଙ୍କୁ ବୁହାଗଲା ୩ କିଲୋମିଟର

ହରଭଙ୍ଗା,୨୪/୬:- ସରକାର ମା ପେଟରୁ ଶିଶୁ ଜନ୍ମ, ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଜନକଲ୍ୟାଣକାରୀ ଯୋଜନା କରିଛନ୍ତି । କିଛି ଯୋଜନା ସୁଚାରୁରୂପେ ଜନ କଲ୍ୟାଣଙ୍କ ସ୍ୱାର୍ଥରେ ଲାଗୁଥିବା ବେଳେ କିଛି ଯୋଜନା କୋଉଠି ନା କୋଉଠି ଫେଲ ମାରୁଛି । ଏମିତି ଏକ ଘଟଣା ବାସ୍ତବଚିତ୍ର ହିଁ ବୟାନ କରିଛି । ଠିକାଦାରଙ୍କ ବେଫିକର ପାଇଁ ଆମ୍ବୁଲାନ୍ସ ନ ଯିବାରୁ ଆଜି ଜଣେ ଗର୍ଭବତୀ ମହିଳାଙ୍କୁ ତିନି କିଲୋମିଟର ବୋହିବାକୁ ପଡିଥିଲା । ଖବର ମତେ ହରଭଙ୍ଗା ବ୍ଲକ ଚାରିଛକ -ଅତଲସରା ପୂର୍ତ୍ତବିଭାଗ ରାସ୍ତା କୁଶଙ୍ଗ ପଞ୍ଚାୟତ ସାନଜୋର ନାଳ ଉପରେ ୩କୋଟି ଅର୍ଥରାଶିରେ କାର୍ଯ୍ୟଧୀନ ସେତୁ ଅସମ୍ପୂର୍ଣ୍ଣ ଅବସ୍ଥାରେ ଏପଟେ ବର୍ଷା ଋତୁ ହେବାରୁ ବର୍ଷା ଆରମ୍ଭ ହୋଇସାରିଲାଣି ଜିଲ୍ଲାରେ । ସେତୁ କାର୍ଯ୍ୟ ସଂପୂର୍ଣ୍ଣ ହୋଇନଥିବାରୁ ଡ଼ାଇଭରସନ ରାସ୍ତାଟି ବର୍ଷାରେ କାଦୁଅରେ ଭର୍ତ୍ତି । ଦୁଇଚକିଆ ଯାନ ଯିବା ଅସମ୍ଭବ ହୋଇପଡୁଛି । ପୁଣି ଏହାର କିଛି ଦୂର ଅନ୍ତରରେ ଉକ୍ତ ରାସ୍ତାର ୨୦୦ମିଟର ରାସ୍ତା ଉନ୍ନତି କରଣ ଟଙ୍କା ମଞ୍ଜୁର ହୋଇଥିବାବେଳେ ଠିକାଦାର ୫ମାସ ହେଲାଣି ରାସ୍ତା ଖୋଳି ଦେଇ ଅଧାପନ୍ତରା କରି କାର୍ଯ୍ୟ କରୁନି, ଏହି ରାସ୍ତାରେ ବହୁଥର ଛୋଟ ବଡ଼ ଦୁର୍ଘଟଣା ଘଟି ଥିବାରୁ ବହୁବାର ଗଣ ମଧ୍ୟମରେ ପ୍ରକାଶ ପାଇଛି ଓ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି କିନ୍ତୁ ଫଳ ଶୂନ । କାହିଁକି ବିଭାଗୀୟ ଅଧିକାରୀ ଠିକାଦାରଙ୍କୁ ଅନୁକମ୍ପା ଦେଖାଉଛନ୍ତି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛ । ଏହି ସମସ୍ତ ରାସ୍ତା ସମସ୍ୟା ପାଇଁ ଆଜି ଏକ ଗର୍ଭବତୀ ମହିଳାଙ୍କୁ ବୋହିବାକୁ ପଡିଛି । ସୂଚନା ମତେ ଅତଲସରା ଗ୍ରାମର ମମି ଦେହୁରୀ ନାମକ ଗର୍ଭବତୀ ମହିଳାଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା ଓ ଖବର ମୁତାବକ ଆମ୍ବୁଲାନ୍ସ ମଧ୍ୟ ଆସିଥିଲା କିନ୍ତୁ ସାନଜୋର ସେତୁ ନିର୍ମାଣ ଠାରୁ ରାସ୍ତା ଶୋଚନୀୟ ଥିବାରୁ ଗାଡି ଆଗକୁ ଯାଇ ପାରିନଥିଲା ।

ଘଟଣାକୁ ଦେଖି ପରିବାର ଲୋକେ ଗର୍ଭବତୀ ମହିଳାଙ୍କୁ ଏକ ଅଟୋ ଯୋଗେ ଆଣିବା ବାଟରେ ୨୦୦ମିଟର ଅଧପନ୍ତରା ରାସ୍ତା ଓ ନିର୍ମାଣ ଧୀନ ସେତୁର ଡ଼ାଇଭରସନ ରାସ୍ତାରେ ଅଟୋ ନଯିବାରୁ ଗର୍ଭବତୀଙ୍କୁ ବୋହି ଆମ୍ବୁଲାନ୍ସକୁ ଅଣାଯାଇଥିଲା । ଏଠାରେ ସାଧାରଣରେ ପ୍ରଶ୍ନ ଉଠୁଛି ନିର୍ମାଣଧୀନ ହେଉଥିବା ସେତୁ ଓ ରାସ୍ତା ଜନ ସାଧାରଣଙ୍କ ସ୍ୱାର୍ଥ ରେ ନା ଠିକାଦାରଙ୍କ ପୁଞ୍ଜି ବିସ୍ତାର ପାଇଁ । ଏପଟେ ସରକାରଙ୍କ ରାଜସ୍ୱ ଜନହିତ କାର୍ଯ୍ୟ ନେଇ ଖର୍ଚ୍ଚ ହେଉଥିବା ବେଳେ ସେପଟେ ଠିକାଦାରଙ୍କ ଲାଭଖୋର ଚିନ୍ତାଧାରା, ବେଫିକର, ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ନେଇ ସରକାରଙ୍କ ମହତ ଯୋଜନା ଗୁଡିକ ବାଟବଣା ହେଉଛି ବୋଲି ଜନମତ ପ୍ରକାଶ ପାଉଛି ଏବଂ ଏହିସବୁ ସମସ୍ୟା ପାଇଁ ଆଜି ଏକ ଗର୍ଭବତୀ ମା ଙ୍କୁ ବୋହିନେବା ଭଳି ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି । ବର୍ଷା ଆରମ୍ଭରୁ ଏଭଳି ଦୁର୍ଦ୍ଦଶା ଏଣୁ ଆଗକୁ ବନ୍ୟା ବାତ୍ୟା ବହୁ ବିପଦ ଏହି ଅଂଚଳରେ ପ୍ରତିବର୍ଷ ଲାଗି ରହୁଥିବାରୁ ବହୁଶୀଘ୍ର ଜିଲ୍ଲା ପ୍ରଶାସନ ଉକ୍ତ ଦୁଇ ପ୍ରକଳ୍ପ ଉପରେ ଦୃଷ୍ଟି ଦେଇ ବନ୍ୟା, ବାତ୍ୟା ପୂର୍ବରୁ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କୁ ଚେତାବନୀ ଦେବାପାଇଁ ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି ।

Comments (0)
Add Comment