୫୭ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ବସ୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ସହ ମଇଁଷିର ମୃତ୍ୟୁ

ହରଭଙ୍ଗା,୨/୬- ଗ୍ରାଣ୍ଡ ନାମକ ଏକ ରାତ୍ରି ଯାତ୍ରୀବାହି ବସ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଖୋର୍ଦ୍ଧା -ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣିଗଡ଼ ଫାଣ୍ଡି ରଙ୍ଗମାଟିଆ ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ କଟକରୁ ରାଇପୁର ଯାଉଥିବା(ଓଡି୦୫ଏଇ୮୪୨୯) ନଂ ଥିବା “ଗ୍ରାଣ୍ଡ “ନାମକ ଯାତ୍ରୀବାହି ବସ (ଓଡି୦୨ବିଡବ୍ଲୁ୪୩୭୪)ନଂ ଥିବା ଏକ ସ୍କୁଟି ଓ ମଇଁଷିକୁ ଧକ୍କା ଦେଇଥିଲା । ଫଳରେ ସ୍କୁଟି ସଂପୂର୍ଣ୍ଣ ନଷ୍ଟ ହୋଇଥିବା ସହିତ ସ୍କୁଟି ଚାଳକ ଓ ମଇଁଷିିର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଖବରପାଇ ଅଗ୍ନିଶମ ବାହିନୀ ଓ ପୁରୁଣାକଟକ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍କୁଟି ଚାଳକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିବା ବେଳେ ପୋଲିସ ପହଞ୍ଚିବା ପୂର୍ବରୁ ଗାଡି ଡ୍ରାଇଭର ଓ କର୍ମଚାରୀ ଫେରାର ହୋଇଯାଇଥିବା ଜଣାପଡିଛି । ଏପଟେ ବହୁ ସମୟପରେ ମୃତକଙ୍କ ପରିଚୟ ମିଳିଥିଲା । ମୃତକ ଜଣକ ହେଲେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ବଡ଼ ବାରେଣୀ ଗ୍ରାମର ବାଲୁଙ୍କେଶ୍ୱର ବାରିକ (୪୦) । ନିଜ ସ୍ୱାମୀଙ୍କ ମୃତ୍ୟୁକୁ ନେଇ ସ୍ତ୍ରୀ ବବିତା ମହାକୁଡ଼ ପୁରୁଣାକଟକ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଆଜି ବସ୍‌ଟିକୁ ପୋଲିସ ଜବତ କରି ଥାନାକୁ ଆଣିଛି ଓ ଦୁର୍ଘଟଣା ସମ୍ବନ୍ଧୀୟ ଅଧିକ ତଦନ୍ତ ଚଳାଇଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂତ୍ରରୁ ଖବର ମିଳିଛି ।

Comments (0)
Add Comment