ଭରସା ସାଜିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା,ନର୍ସିଂ ହୋମରେ ଯୁବକଙ୍କୁ ମିଳିଲା ମାଗଣା ଚିକିତ୍ସା

ସୁବର୍ଣ୍ଣପୁର: ଗରିବ ଲୋକଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କେତେ ଯେ ଲାଭଦାୟକ ଚିକିତ୍ସିତ ହୋଇଥିବା ଲୋକ ହିଁ କହିପାରିବ । ଏହି ଯୋଜନା ଦ୍ୱାରା ବିନା ଖର୍ଚ୍ଚରେ ଚିକିତ୍ସା ସୁବିଧା ପାଇଛନ୍ତି ସୋନପୁର ସହର ନିକଟସ୍ଥ ଧୁବାବାହାଲି ଗାଁର ସୁଶାନ୍ତ ସାହୁ । ୩୫ ବର୍ଷୀୟ ସୁଶାନ୍ତ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ବାପା ଶୁକ୍ରୁ ସାହୁ ସୋନପୁର ସୂତାକଳରେ ଶ୍ରମିକ ଭାବେ କାମ କରୁଥିଲେ । ସୂତାକଳରେ ଶୁକ୍ରୁଙ୍କ କାମ ବନ୍ଦ ହୋଇଯିବା ପରେ ପରିବାର ଉପରେ ପଡିଲା ଆର୍ଥିକ ବୋଝ । ବାଧ୍ୟହୋଇ ଏକ ଦୋକାନରେ କାମ କରି ସୁଶାନ୍ତ ପରିବାର ପ୍ରତିପୋଷଣ କରିବା ଆରମ୍ଭ କରିଥିଲେ । ତେବେ ‘ଗରିବ୍‌ ମୁଡେ କାଠ୍‌ ଛେଲା’ ଭଳି ୪ ବର୍ଷ ପୂର୍ବରୁ ସୁଶାନ୍ତ ଏକ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ନିଜ ଗାଁରୁ ସୋନପୁର ଆସୁଥିବା ବେଳେ ଜୟ ଯବାନ ପେଟ୍ରୋଲ ପମ୍ପ ନିକଟରେ ସୁଶାନ୍ତଙ୍କ ବାଇକ୍‌କୁ ଏକ ବୋଲେରୋ ଧକ୍କା ଦେଇଥିଲା । ଦୁର୍ଘଟଣାରେ ସୁଶାନ୍ତଙ୍କ ଦୁଇ ଗୋଡର ହାଡ ଭାଙ୍ଗି ଯାଇଥିଲା । ପରିବାର ଲୋକେ ତୁରନ୍ତ ବୁର୍ଲାର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ୩୦ ହଜାର ଟଙ୍କା ଖର୍ଚ୍ଚରେ ସୁଶାନ୍ତଙ୍କ ଗୋଡରେ ଲୁହା ରଡ୍‌ ଲଗା ଯାଇଥିଲା । ଏବେ ସୁଶାନ୍ତଙ୍କ ଗୋଡରେ ଦରଜ ଆରମ୍ଭ ହେବାରୁ ବୁର୍ଲା ଯାଇ ଡାକ୍ତରଙ୍କୁ ଦେଖା କଲେ । ଲୁହା ରଡ ଖୋଲିବାର ସମୟ ହୋଇ ଯାଇଥିବା ଡାକ୍ତର ପରାମର୍ଶ ଦେଇଥିଲେ । ସୁଶାନ୍ତ ବୁର୍ଲାରେ ଥିବା ସମଲେଶ୍ୱରୀ ନର୍ସିଂ ହୋମ୍‌କୁ ଗୋଡରେ ଲାଗିଥିବା ରଡ ଖୋଲିବା ପାଇଁ ଗଲେ । କିଛି ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଠାରୁ ଅବଗତ ହୋଇ ସୁଶାନ୍ତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସମ୍ବଲପୁର ଜିଲ୍ଲା ସଂଯୋଜିକା ପ୍ରଞ୍ଜା ପରିମିତା ଦାଶଙ୍କ ସହ ଯୋଗାଯୋଗ କଲେ । ସୁଶାନ୍ତଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସମଲେଶ୍ୱରୀ ନର୍ସିଂ ହୋମ୍‌ରେ ସଂପୂର୍ଣ୍ଣ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦିଆଗଲା । ବିନା ଖର୍ଚ୍ଚରେ ଲୁହା ରଡ ଖୋଲା ଯାଇଥିବାରୁ ସୁଶାନ୍ତ ଖୁସି ପ୍ରକାଶ କରିଛନ୍ତି । କେବଳ ସୋନପୁରରୁ ବୁର୍ଲାକୁ ଯାତାୟତ ବାବାଦରେ ୩ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ଏହାଛଡା ଚିକିତ୍ସା ବାବଦରେ ଆମକୁ ଟଙ୍କା ଟିଏ ମଧ୍ୟ ଦେବାକୁ ପଡିଲା ନାହିଁ ବୋଲି ସୁଶାନ୍ତ କହିଛନ୍ତି । ଗରିବ ଲୋକଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଖୁବ୍‌ ସାହାଯ୍ୟ କରୁଛି ବୋଲି ସେ କହିଛନ୍ତି ।

Comments (0)
Add Comment