ଥାନାଗୁଡିକ ପାଇଁ ଡିଜିପିଙ୍କ ନୂଆ ଗାଇଡଲାଇନ

ଭୁବନେଶ୍ୱର ୨୮ ।୭: ଓଡିଶା ପୁଲିସ ମହାନିର୍ଦ୍ଦେଶକ ଅଭୟ ରାଜ୍ୟର ଥାନାଗୁଡିକ ପାଇଁ ଆଜି ନୂଆ ଗାଇଡଲାଇନ ଜାରି କରିଛନ୍ତି । ନୂଆ ଗାଇଡଲାଇନ ଅନୁଯାୟୀ ଥାନାର ଭାରପ୍ରାପ୍ତ ନିରୀକ୍ଷକମାନେ କାର୍ଯ୍ୟ କରିବା ପାଇଁ ଡିଜିପି ଅଭୟ ପରାମର୍ଶ ଦେଇଛନ୍ତି । ଗାଇଡଲାଇନ ଅନୁଯାୟୀ ଲୋକଙ୍କ ଅଭିଯୋଗ ଶୁଣିବାକୁ ଜିଲ୍ଲା ପୁଲିସ ମୁଖ୍ୟାଳୟରେ କଣ୍ଟ୍ରୋଲ ରୁମ୍ ରହିବ । ଜିଲ୍ଲା ପୁଲିସ କଣ୍ଟ୍ରୋଲ ରୁମର ନମ୍ବର ଉଭୟ ଫେସବୁକ ଓ ଟ୍ୱିଟର ଦିଆଯିବ । ପ୍ରତ୍ୟେକ ଥାନା ନିଜର ଲ୍ୟାଣ୍ଡଲାଇନ ନମ୍ବର ସୋସିଆଲ ମିଡିଆରେ ପ୍ରକାଶ କରିବେ । ଥାନାକୁ ଫୋନରେ ଆସୁଥିବା ଅଭିଯୋଗ ଗୁଡିକର ତଦାରଖ ନିଜେ ଏସ୍‌ପି ଓ ଡିଏସ୍‌ପି କରିବେ । ଲୋକଙ୍କ ଆପତ୍ତି ଶୁଣିବାକୁ ସବୁଥାନାରେ ଅଭ୍ୟର୍ଥନା ପ୍ରକଳ୍ପ(ରିସେପସନ) ଖୋଲା ରହିବ । ରିସେପସନ କାଉଣ୍ଟର ଥାନା ମୁଖ୍ୟାଳୟଠାରୁ ଛାଡି ଥାନାର ଅଲଗା ପ୍ରକୋଷ୍ଠରେ ଖୋଲାଯିବ । ଅଲଗା ପ୍ରକୋଷ୍ଠ ନଥିଲେ ଟେଣ୍ଡ ବ୍ୟବସ୍ଥା କରାଯାଇ ସେଠାରେ ଆପତ୍ତିଶୁଣାଯିବ । ରିସେପସନ ଅଂଚଳ ନିୟମିତ ବିଶୋଧନ କରାଯିବ ଓ ଆସୁଥିବା ଅଭିଯୋଗକାରୀଙ୍କୁ ମାସ୍କ ପିନ୍ଧିବା ଓ ହାତ ଧୋଇବାକୁ କୁହାଯିବ । ଡିଆଇଜି, ଏସପି ଓ ଡିଏସପିଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ଫୋନ ନମ୍ବର ଡିସ୍‌ପ୍ଲେ ଲାଗିବ । ସେହିଭଳି ଫାଟକରେ ଅଭିଯୋଗ ବାକ୍ସ ମଧ୍ୟ ରଖାଯିବ । ଯେଉଁଠାରେ ତାଙ୍କର ଅଭିଯୋଗ ବା ଆପତ୍ତିକୁ ପକାଇପାରିବେ । ଏହାଦ୍ୱାରା ସାଧାରଣ ଲୋକଙ୍କୁ ନ୍ୟାୟ ମିଳିବାରେ ସହଜ ହେବ ବୋଲି ଡିଜିପି ଶ୍ରୀ ଅଭୟ ପ୍ରକାଶ କରିଛନ୍ତି ।

Comments (0)
Add Comment