ପୁରୀ :ଗତ ୧୨ ତାରିଖରେ ନୁଆ କରି ଗଠିତ ହୋଇଥିବା ଶ୍ରୀମନ୍ଦିର ପରିଚାଳନା କମିଟିର ବୈଧତାକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଖୁଣ୍ଟିଆ ନିଯୋଗ। ନିଯୋଗ ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆଙ୍କ ପକ୍ଷରୁ ଏକ ପିଟିସନ ଦାୟର କରାଯାଇଥିବା ବେଳେ ଏହାକୁ ଗ୍ରହଣ କରିବା ସହ ସମସ୍ତ ପ୍ରତିପକ୍ଷଙ୍କୁ ହାଇକୋର୍ଟ ଜବାବ୍ ତଲବ କରିଛନ୍ତି। ତେବେ ମାମଲାର ଚୂଡାନ୍ତ ରାୟ ଉପରେ ହିଁ ପରିଚାଳନା କମିଟିର ଭବିଷ୍ୟତ ନିର୍ଭର କରିବ ବୋଲି ହାଇକୋର୍ଟ ଏକ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ମନ୍ଦିର ପରିଚାଳନା କମିଟିକୁ ନିର୍ଦ୍ଦିଷ୍ଟ ନିଯୋଗର ପ୍ରତିନିଧି ମାନେ ବାରମ୍ବାର ମନୋନୀତ ହେଉଥିବା ବେଳେ ଜାଣିଶୁଣି ଖୁଣ୍ଟିଆ ନିଯୋଗକୁ ଅଣଦେଖା କରାଯାଉଛି ବୋଲି ଦାୟର ପିଟିସନରେ ଉଲ୍ଲେଖ କରାଯାଇଛି। ଶ୍ରୀମନ୍ଦିର ଖୋଲିବା ସମୟରୁ ଆରମ୍ଭ କରି ମନ୍ଦିର ବନ୍ଦ ହେବା ପର୍ଯ୍ୟନ୍ତ ଏହି ସେବକ ନିର୍ଦ୍ଦିଷ୍ଟ ସେବାପୂଜା କାର୍ଯ୍ୟ ସଂପାଦନ କରିଥାନ୍ତି। କିନ୍ତୁ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ସମୟରେ ଖୁଣ୍ଟିଆ ନିଯୋଗର ସେବକଙ୍କୁ ସଦସ୍ୟ ଭାବେ ଜାଣିଶୁଣି ଗ୍ରହଣ କରାଯାଉ ନାହିଁ ବୋଲି ଆବେଦନରେ ଦର୍ଶାଯାଇଛି। ତେବେ ଶ୍ରୀମନ୍ଦିର ପରିଚାଳନା କମିଟି ଚୟନ ପ୍ରକ୍ରୀୟାରେ ଅନିୟମିତତା ହୋଇଥିବା ବେଳେ ଖୁଣ୍ଟିଆ ନିଯୋଗର ଜଣେ ସଦସ୍ୟଙ୍କୁ କମିଟିର ସଦସ୍ୟ ଭାବେ ଗ୍ରହଣ କରାଯାଉ ବୋଲି ନିଯୋଗ ପକ୍ଷରୁ କୁହାଯାଇଛି। ନଚେତ୍ ଆଗାମୀ ଦିନରେ ନିଯୋଗ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବ ବୋଲି ସଭାପତି ହଜୁରୀ କୃଷ୍ଣଚନ୍ଦ୍ର ଖୁଣ୍ଟିଆ କହିଛନ୍ତି।