ସମ୍ବଲପୁର:ଅତିଶୀଘ୍ର ମୌସୁମୀ ଆଗମନ ପାଇଁ ପାଣିପାଗ ବିଭାଗ ଜଣାଇଥିବା ପରିପ୍ରେକ୍ଷୀରେ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଜଳଭଣ୍ଡାରରୁ ଯେକୌଣସି ସମୟରେ ବନ୍ୟାଜଳ ନିଷ୍କାସନ ହୋଇପାରେ ବୋଲି ସତର୍କ ସୂଚନା ଜାରି କରିଛନ୍ତି । ଏଥିପାଇଁ ରାଜସ୍ୱ ବିଭାଗକୁ ମଧ୍ୟ ସତର୍କ କରାଯାଇଛି ଯେ ମହାନଦୀ ଗର୍ଭରେ ଓ ଉଭୟ ତଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ଇତିମଧ୍ୟରେ ଅନ୍ୟତ୍ର ସ୍ଥାନାନ୍ତରିତ କରିଦିଆଯାଉ । କାରଣ ମନସୁନ ଆଗମନ ପରିପ୍ରେକ୍ଷୀରେ ଅନେକ ସ୍ଥାନରେ ମନସୁନପୂର୍ବ ବର୍ଷା ଆରମ୍ଭ ହୋଇଗଲାଣି, ଏଣୁ ମହାନଦୀର ଉପରମୁଣ୍ଡରେ କିଛି ବର୍ଷା ହେଲାମାତ୍ରେ ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଯିବ । ହୀରାକୁଦ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ୮ଟା ସମୟରେ ଜଳଭଣ୍ଡାରର ଜଳସ୍ତର ୬୧୦.୧୦ ଫୁଟ ରେକର୍ଡ କରାଯାଇଛି ଓ ସେହି ସମୟରେ ଜଳଭଣ୍ଡାରକୁ ହାରାହାରି ୪୦୫କ୍ୟୁସେକ ଜଳ ପ୍ରବେଶ କରୁଥିଲା ଓ ଜଳଭଣ୍ଡାରରୁ ହାରାହାରି ୧୨ହଜାର ୯୪୩କ୍ୟୁସେକ ଜଳ ନିଷ୍କାସନ ହେଉଥିଲା । ଗତବର୍ଷ ଗଭୀର ଜଳସଙ୍କଟ ସ୍ଥିତି ଥିବାରୁ ଏହି ସମୟରେ ଜଳଭଣ୍ଡାରର ଜଳସ୍ତର ୬୦୩.୫୨ ଫୁଟ ରେକର୍ଡ କରାଯାଇଥିଲା ।