ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରେ ଆଜି ପ୍ରଥମକରି ବର୍ଷା ଜଳ ପ୍ରବେଶ ରେକର୍ଡ କରାଯାଇଛି । ଗତ ୨୪ଘଣ୍ଟା ରେ ଏହାର ଜଳସ୍ତରରେ ୦.୪୮ଫୁଟ ବୃଦ୍ଧି ହୋଇଛି । ଆଜି ସକାଳ ୮ଟା ସମୟରେ ଏହାର ଜଳସ୍ତର ୬୦୮.୨୯ଫୁଟ ରେକର୍ଡ କରାଯାଇଛି ଓ ୨୪ଘଣ୍ଟା ପୂର୍ବେ ଏହା ୬୦୭.୮୧ଫୁଟ ରହିଥିଲା । ଏବିଷୟରେ ହୀରାକୁଦ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ୮ଟା ସମୟରେ ଉପରମୁଣ୍ଡରୁ ଏହି ଜଳଭଣ୍ଡାରକୁ ୩୪ହଜାର ୫୬୬ କ୍ୟୁସେକ ଜଳରାଶି ପ୍ରବେଶ କରୁଥିଲା ଓ ସେଠାରୁ ୧୪ହଜାର ୧୫୨କ୍ୟୁସେକ ଜଳରାଶି ନିଷ୍କାସିତ ହେଉଥିଲା । ବିଗତ ୨୪ଘଣ୍ଟା ମଧ୍ୟରେ ଏହି ଜଳଭଣ୍ଡାରର ତଳ ମୁଣ୍ଡରେ ୩୦.୨୦ମିମି ବର୍ଷା ରେକର୍ଡ କରାଯାଇଛି । ଏହି ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ଯୋଗୁଁ ଏହାର ଜଳବିଦ୍ୟୁତ ଉତ୍ପାଦନରେ ମଧ୍ୟ ସାମାନ୍ୟ ଉନ୍ନତି ହେଇଛି । ଆଜି ସକାଳେ ବୁର୍ଲା ଓ ଚିପଲିମା ପାୱର ହାଉସରୁ ଯଥାକ୍ରମେ ୮୨.୩୭୫ ମେଗାୱାଟ ଓ ୪୬.୫୪୨ ମେଗାୱାଟ ଜଳବିଦ୍ୟୁତ ଉତ୍ପାଦନ ରହିଥିଲା । ଯଦିଓ ୨୪ଘଣ୍ଟା ଆଗରୁ ଏହା ଯଥାକ୍ରମେ ୮୧.୬୨୫ ଓ ୪୪.୭୦୮ ମେଗାୱାଟ ମାତ୍ର ରହିଥିଲା ।