ସମ୍ବଲପୁର: ଉପରମୁଣ୍ଡରେ କିଛି ଭଲ ବର୍ଷା ଯୋଗୁଁ ବିଶ୍ୱପ୍ରସିଦ୍ଧ ହୀରାକୁଦ ନଦୀବନ୍ଧର ଜଳସ୍ତରରେ ବର୍ତ୍ତମାନ ଆଖିଦୃଶିଆ ବୃଦ୍ଧି ଘଟୁଛି । ହୀରାକୁଦ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ୮ଟା ସମୟରେ ଏହାର ଜଳସ୍ତର ୬୧୦.୧୫ ଫୁଟ ରେକର୍ଡ କରାଯାଇଛି, ଯାହାକି ଗତ ଗୁରୁବାର ଓ ବୁଧବାର ଦିନ ଯଥାକ୍ରମେ ୬୦୯.୮୧ ଫୁଟ ଓ ୬୦୮.୨୯ଫୁଟ ରହିଥିଲା । ଏହି ଦରରେ ଯଦି ଉପର ମୁଣ୍ଡରୁ ଜଳପ୍ରବାହ ଜାରି ରୁହେ, ତାହାହେଲେ ଆଗାମୀ ମାସେ ମଧ୍ୟରେ ଏହାର ସର୍ବୋଚ୍ଚ ଜଳସ୍ତର ୬୩୦ଫୁଟ ହୋଇଯାଇପାରେ ବୋଲି ବିଶେଷଜ୍ଞଙ୍କ ଠାରୁ ଜଣାପଡିଛି । ଏଣୁ ସେହି ଅନୁସାରେ ଏଠାରୁ ବନ୍ୟାଜଳ ନିଷ୍କାସନ ମଧ୍ୟ ହେବ ଓ ସେଥିପାଇଁ ତଳେ ଡେଲଟା ଅଂଳରେ ବନ୍ୟାସ୍ଥିତି ବିପନ୍ନ ହେବାର ଆଶଙ୍କା କରାଯାଉଛି । ଏହି ଜଳଭଣ୍ଡାରର ଆଉ ଏକ ବିଶେଷତ୍ୱ ହେଉଛି, ଏଠାରୁ ଜଳବିଦ୍ୟୁତ ଉତ୍ପାଦନ । ଏଥିପାଇଁ ସ୍ଥାନୀୟ ବୁର୍ଲା ଓ ଚିପଲିମା ଠାରେ ଦୁଇଟି ଜଳବିଦ୍ୟୁତ ଉତ୍ପାଦନ କେନ୍ଦ୍ର ରହିଛି । ହୀରାକୁଦ ଉପରେ ନିରନ୍ତର ଦୃଷ୍ଟି ରଖୁଥିବା କିଛି ବିଶେଷଜ୍ଞ ମତାନୁସାରେ ଏହାର ଜଳଭଣ୍ଡାରରେ ଏବର୍ଷ ଯଥେଷ୍ଟ ଜଳ ଥିବା ସତ୍ତ୍ୱେ ସେଥିରୁ ବିଦ୍ୟୁତ ଉତ୍ପାଦନ ଆଶାନୁରୂପେ ହେଉନାହିଁ । ଆଜି ସକାଳ ରେକର୍ଡ ଅନୁସାରେ ବୁର୍ଲା ଶକ୍ତିକେନ୍ଦ୍ରରୁ ୮୭.୬୩୩ ମେଗାୱାଟ ଓ ଚିପଲିମା ଶକ୍ତିକେନ୍ଦ୍ରରୁ ୪୨.୮୭୫ ମେଗାୱାଟ ଜଳବିଦ୍ୟୁତ ଉତ୍ପାଦନ ରହିଥିଲା । ଏହି ଦୁହି ଶକ୍ତିକେନ୍ଦ୍ରର ନବୀକରଣ ଓ ବିକାଶ ନାମରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସତ୍ତ୍ୱେ ଏହାର ଆଶାନୁରୂପେ ଉନ୍ନତି ନହେବା ଚିନ୍ତାର ବିଷୟ ବୋଲି ବିଶେଷଜ୍ଞ କହୁଛନ୍ତି ।