୨୦ଟି ଗେଟ ଜରିଆରେ ହୀରାକୁଦ ଜଳଭଣ୍ଡାରରୁ ଜଳନିଷ୍କାସନ

ସମ୍ବଲପୁର:ହୀରାକୁଦ ଜଳଭଣ୍ଡାରରୁ ଏବର୍ଷର ପ୍ରଥମ ଜଳନିଷ୍କାସନ ଆଜି ଠାରୁ ଆରମ୍ଭ ହୋଇଯାଇଛି, ପୂର୍ବାହ୍ନ ୧୦ ଟା ସମୟରୁ ବାମ ପାର୍ଶ୍ୱର ଗୋଟି ଗୋଟି କରି ୨୦ଟି ଗେଟ ଜରିଆରେ ମୋଟ ଏକ ଲକ୍ଷ ୫୭ ହଜାର କ୍ୟୁସେକ ଜଳରାଶି ମହାନଦୀକୁ ଛଡ଼ା ଯାଉଛି ।‌ ଏହାପୂର୍ବରୁ ପାରମ୍ପରିକ ରୀତିନୀତି ଅନୁସାରେ ପୂଜା ଅର୍ଚ୍ଚନା ଓ ହୋମଯଜ୍ଞ କରାଯାଇଛି ଓ ସମସ୍ତ ଉଚ୍ଚ ପ୍ରଶାସନିକ ଅଧିକାରୀ ଓ ଆମନ୍ତ୍ରିତ ଅତିଥି ମାନଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ କରାଯାଇଥିଲା । ଏହାପୂର୍ବରୁ ଜଳବିଦ୍ୟୁତ ଉତ୍ପାଦନ ପାଇଁ ପାଓ୍ବର ଚ୍ୟାନେଲ ଜରିଆରେ ହାରାହାରି ୩୮ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା ।‌ ଇତିମଧ୍ୟରେ ଉପରମୁଣ୍ଡ ସ୍ଥିତ ପଡୋଶୀ ରାଜ୍ୟ ଛତିଶଗଡରେ ପ୍ରବଳ ବର୍ଷା ଯୋଗୁଁ ଏପର୍ଯ୍ୟନ୍ତ ୨ ଲକ୍ଷ କ୍ୟୁସେକରୁ ଅଧିକ ବନ୍ୟାଜଳ ପ୍ରବେଶ କରୁଥିବାରୁ ଏହାର ଜଳସ୍ତର ଦୈନିକ ଏକ ଫୁଟରୁ ଦୁଇ ଫୁଟ ଯାଏଁ ବୃଦ୍ଧି ପାଉଛି । ସାମ୍ପ୍ରତିକ ପରିସ୍ଥିତି ଅନୁଧ୍ୟାନ ପରେ ରାଜ୍ୟ ସରକାରଙ୍କ ସହିତ ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଏବର୍ଷର ଜଳନିଷ୍କାସନ ପାଇଁ ନିଷ୍ପତ୍ତି ନେଲେ ଓ ଏଥିପାଇଁ ଗତ ତିନିଦିନ ଧରି ମହାନଦୀର ଉଭୟ ପାର୍ଶ୍ବରେ ବସବାସ କରୁଥିବା ସମସ୍ତ ଜନସାଧାରଣଙ୍କୁ ସତର୍କ କରାଯାଇଛି। ଗଣମାଧ୍ୟମ ଜରିଆରେ ଏଭଳି ସତର୍କତାକୁ ନେଇ ସୂଚନା ପ୍ରଦାନ ସହିତ ଅନେକ ସ୍ଥାନରେ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ମଧ୍ୟ ପ୍ରଚାର ଏହାର କରାଯାଇଛି । ଏବିଷୟରେ ହୀରାକୁଦ ନିୟନ୍ତ୍ରଣ କକ୍ଷରୁ ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଜଳଭଣ୍ଡାର ଜଳସ୍ତର ୬୧୦ ଫୁଟ ରେକର୍ଡ କରାଯାଇଛି ଯଦିଓ ଏହାର ଜଳଧାରଣ କ୍ଷମତା ସର୍ବାଧିକ ୬୩୦ ଫୁଟ ପର୍ଯ୍ୟନ୍ତ ରହିଛି । ସେତେବେଳେ ଉପରମୁଣ୍ଡରୁ ଜଳଭଣ୍ଡାର ଭିତରକୁ ଦୁଇ ଲକ୍ଷ ୯୪ ହଜାର ୭୨୪ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିଲା ଓ ବାମ ପାର୍ଶ୍ୱର ଆଠଟି ଗେଟ ଜରିଆରେ ମୋଟ ଏକ ଲକ୍ଷ ୫୭ ହଜାର ୨୦୮ କ୍ୟୁସେକ ଜଳରାଶି ମହାନଦୀକୁ ନିଷ୍କାସିତ କରା ଯାଉଥିଲା । ଏହି ସମଗ୍ର ଅଞ୍ଚଳରେ ଗତ ଚାରି ଦିନ ହେଲା ତୁହାକୁ ତୁହା ବର୍ଷା ଲାଗି ରହିଛି ଓ ମଝି ମଝିରେ ପ୍ରବଳ ବର୍ଷା ମଧ୍ୟ ହେଉଛି । ଆଜି ସକାଳ ସୁଦ୍ଧା ଏଠାରେ ହାରାହାରି ୫୦ ମିଲିମିଟର ବର୍ଷା ହେବାର ସୂଚନା ମଧ୍ୟ ମିଳିଛି ।

Comments (0)
Add Comment