ସମ୍ବଲପୁର- ହୀରାକୁଦ ଜଳଭଣ୍ଡାରରୁ ବିପୁଳ ପରିମାଣରେ ଜଳ ନିଷ୍କାସନପରେ ଏହାର ଜଳସ୍ତର ଆଜି ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୬୦୭.୯୭ଫୁଟ କୁ ଖସି ଆସିଛି । ଏବିଷୟରେ ହୀରାକୁଦ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଉକ୍ତ ସମୟରେ ଜଳଭଣ୍ଡାର ଭିତରକୁ ୬୫.୧୪୩ କ୍ୟୁସେକ ଜଳରାଶି ପ୍ରବେଶ କରୁଥିଲା ଓ ଦକ୍ଷିଣପଟର ୪ଟି ଓ ବାମପଟର ୮ଟି ସହିତ ମୋଟ ୧୨ଟି ସ୍ଲୁଇସଗେଟ ଜରିଆରେ ଏକଲକ୍ଷ ୯୩ହଜାର ୬୯୭ କ୍ୟୁସେକ ଜଳରାଶି ନିଷ୍କାସିତ ହେଉଥିଲା । ଆଜି ସକାଳ ୯ଟା ସମୟରେ ସେଠାକାର ଉଚ୍ଚକର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ତିନୋଟି ସ୍ଲୁଇସଗେଟ ବନ୍ଦ କରାଯାଇଛି । ଏହା ପୂର୍ବରୁ ସକାଳ ୮ଟା ସମୟର ରେକର୍ଡ ଅନୁସାରେ ଏହାର ଜଳସ୍ତର ୬୦୮.୫୬ଫୁଟ ରହିଥିଲା ଓ ସେତେବେଳେ ଉପରମୁଣ୍ଡରୁ ସେଠାକୁ ୬୬ହଜାର ୫୯୪ କ୍ୟୁସେକ ଜଳରାଶି ପ୍ରବେଶ କରୁଥିବା ସହିତ ବାମପକ୍ଷର ୧୦ଟା ଓ ଡାହାଣ ପକ୍ଷର ୫ଟା ସହିତ ମୋଟ ୧୫ ସ୍ଲୁଇସଗେଟ ଦ୍ବାରା ଦୁଇ ଲକ୍ଷ ୩୯ହଜାର ୩୯୦ କ୍ୟୁସେକ ବନ୍ୟାଜଳ ନିଷ୍କାସନ ହେଉଥିଲା । ମାତ୍ର ୫ଦିନ ପୂର୍ବରୁ ଗତ ୨୫ ତାରିଖ ସକାଳ ୮ଟା ସମୟରେ ଏହାର ସର୍ବୋଚ୍ଚ ଜଳସ୍ତର ୬୧୮.୦୪ ଫୁଟ ରେକର୍ଡ କରାଯାଇଥିଲା ଓ ସେତେବେଳେ ଜଳଭଣ୍ଡାର ଭିତରକୁ ବିପୁଳ ପରିମାଣର ବନ୍ୟାଜଳ ପ୍ରବେଶ କରୁଥିବାରୁ ସ୍ଲୁଇସଗେଟମାନ ଖୋଲି ଜଳ ନିଷ୍କାସନ ପାଇଁ ନିଷ୍ପତ୍ତି ନିଆଯାଇଥିଲା ।