ସମ୍ବଲପୁର ଜିଲ୍ଲାରେ ପୁଣି ୨୦ଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର : ଯଥା ସମ୍ଭବ କଟକଣା ସହିତ ଆଗାମୀ ଦଶଦିନ ବ୍ୟାପୀ ଜ୍ଞଟଡାଉନ ଘୋଷଣା ସତ୍ତ୍ୱେ ଆଜି ପୁଣି ୨୦ଜଣ ପଜିଟିଭ ଚିହ୍ନଟ ହେବା ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ଜିଲ୍ଲାର ରେଢ଼ାଖୋଲ ଉପଖଣ୍ଡ ଅନ୍ତର୍ଗତ ନୂଆସାହି ଟିଏମସିରେ ଜଣେ ୫ବର୍ଷୀୟ ବାଳକ ଓ ଜଣେ ୩୦ବର୍ଷୀୟା ମହିଳା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଠାରେ ଅନେକ ଗୁଡ଼ିଏ ଅଳ୍ପ ବୟସ୍କ ବାଳକ ଓ ବାଳିକା କରୋନା ଆକ୍ରାନ୍ତ ଚିହ୍ନଟ ହେବାର ମୁଖ୍ୟ କାରଣ ହେଉଛି, ଲୋକେ ସାମାଜିକ ଦୂରତା ନିୟମ ପାଳନ କରୁନାହାଁନ୍ତି ବୋଲି ଶୁଣାଯାଉଛି । ଏପଟେ ମାନେଶ୍ୱର ବ୍ଲକ ଅନ୍ତର୍ଗତ ବରଗାଁ ଠାରେ ଗତକାଲି ତିନି ଜଣ ମହିଳା ଓ ଚାରିଜଣ ପୁରୁଷ ସହିତ ସାତଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିକାର ବାକି ୧୩ଜଣ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହୀରାକୁଦ ଓ ଆଉଜଣେ ମାଝିପାଲି ଠାରେ ଚିହ୍ନଟ ହୋଇଛନ୍ତି । ସେହିପରି ଅଇଁଠାପାଲିରେ ପାଞ୍ଚ ଜଣ ଓ ସଂଲଗ୍ନ ବୁଢ଼ାରଜା ଅଞ୍ଚଳରେ ୬ଜଣ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ମାମଲା ଗୁଡ଼ିକରେ କରୋନାର କିଛି ଲକ୍ଷଣ ଦେଖାଯାଉ ନ ଥିଲା, ଏଣୁ ସେମାନେ ଯଥା ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରି ଯାଉଥିଲେ । ଆଜି ଚିହ୍ନଟ ହୋଇଥିବା କରୋନା ପଜିଟିଭଙ୍କ ମଧ୍ୟରୁ ଜଣଙ୍କ ଦେହର କିନ୍ତୁ ଲକ୍ଷଣ ଦେଖାଯାଇଛି, ଯାହାକି ପ୍ରଶାସନର ଚିନ୍ତା ବଢାଇ ଦେଇଛି । ଏହିପରି ବର୍ତ୍ତମାନ ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ୨୧୪ରେ ପହଞ୍ଚିଛି ଓ ଏମାନଙ୍କ ମଧ୍ୟରୁ ୧୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ବାକି ୧୧୨ ଜଣଙ୍କ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି ।

Comments (0)
Add Comment