ବୌଦ୍ଧ – ବର୍ଷା ଦିନେ ରାସ୍ତା ଖରାପ ଯୋଗୁଁ ବୌଦ୍ଧ ଜିଲ୍ଲାର ଅନେକ ଗାଆଁକୁ ଆମ୍ବୁଲାନ୍ସ କଥା ଛାଡ଼ନ୍ତୁ ଚାଲି ଚାଲି ଯିବା ମଧ୍ୟ ସମ୍ଭବ ହୋଇ ପାରୁନଥିବା ଅଭିଯୋଗ ହୁଏ | ଗତକାଲି କଣ୍ଟାମାଳ ବ୍ଲକ୍ ବିଲାସପୁର ଗ୍ରାମ ପଂଚାୟତର ଟିଲାଟିଙ୍ଗା ଗ୍ରାମକୁ ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ଜଣେ ନବ ପ୍ରସୂତିଙ୍କ ଜୀବନ ଅକାଳରେ ଚାଲି ଯାଇଥିବା ଦେଖିବାକୁ ମିଳିଥିଲା l ମିଳିଥିବା ସୂଚନା ଅନୁଯାୟୀ ମୃତକ ପୁଟୁରୀ ସେହି ପଞ୍ଚାୟତର ରାହାଜୋର୍ ଗ୍ରାମରେ ବିବାହ କରିଥିଲେ | ପ୍ରସୂତି ହେବା ପରେ ନିଜ ବାପ ଘର ଟିଲାଟିଙ୍ଗା ଗ୍ରାମ ହରିଜନ ସାହିକୁ ଆସି କିଛି ଦିନ ହେଲା ରହିଥିଲେ l କାଲି ହଠାତ ଦେହ ଅସୁସ୍ଥ ହେବାରୁ ମନମୁଣ୍ଡା ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ଡକା ଯାଇଥିଲା l ଆମ୍ବୁଲାନ୍ସ ମଧ୍ୟ ଠିକ୍ ସମୟରେ ଆସିଥିଲା କିନ୍ତୁ ଗାଁକୁ ରାସ୍ତା ଖରାପ ଯୋଗୁଁ ଯାଇ ନପାରି ଦୁଇ କିଲୋମିଟର୍ ଦୂରରେ ଅଟକି ରହିଥିଲା l କିଛି ଉପାୟ ନପାଇ ଚାରି ଜଣ ଲୋକ ଯୋଗାଡ କରି ଖଟିଆକୁ ଭାର କରି ଅନ୍ଧାରରେ ଦୁଇ କିଲୋମିଟର୍ ବୋହି ଆମ୍ବୁଲାନ୍ସ ଯାଏଁ ଆଣିଥିଲେ କାଦୁଅ ପଚପଚ ରାସ୍ତାରେ l ଏ ସମୟ ମଧ୍ୟରେ ବହୁତ୍ ଡେରି ହୋଇଗଲା ଓ ଡାକ୍ତରଖାନା ରେ ପହଞ୍ଚି ଚିକିତ୍ସା ଆରମ୍ଭ ହେବାରୁ ଡାକ୍ତର ମୃତ ଘୋଷଣା କରିଥିଲେ |
ଏଭଳି ଲଜ୍ଯାଜନକ ଘଟଣା ଗତକାଲି ଘଟିଥିବା ବେଳେ ଜିଲ୍ଲାର ବିଭିନ୍ନ ଅଂଚଳର ଗାଆଁ ମାନଙ୍କ ରାସ୍ତା ବାଟର ତଥାକଥିତ ବିକାଶର ମୁଖା ଖୋଲି ଦେଇଛି ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଉଛି l