ଗୁଣି ଗାରେଡ଼ି ଉପରେ ଭରସା ମିଳୁନି ଚିକିତ୍ସା

ଦଶପଲ୍ଲା, : – ବର୍ଷାଋତୁ ଆସିଲେ ବଢ଼ୁଛି ବିଶାକ୍ତ ଜନ୍ତୁଙ୍କ ଭୟ। ରାସ୍ତାଘାଟ, ବାଡ଼ିମାଳ ଓ ବଣଜଙ୍ଗଲ ଆଦି ଲତାବୁଦାରେ ପରିପୂର୍ଣ୍ଣ ହୋଇ ରହିଥାଏ। ଏଥିସହିତ ବିଭିନ୍ନ ବିଶାକ୍ତ ଜନ୍ତୁ ତଥା ସାପ ଓ ବିଛାଙ୍କ ଅଧିକ ଚଳପ୍ରଚଳ ରହିଥାଏ। ଯାହାକି ସେମାନେ ଆଘାତପ୍ରାପ୍ତ ହେବାପରେ ମନୁଷ୍ୟଙ୍କୁ ଆଘାତ କରିଥାନ୍ତି। ହେଲେ ଅନେକ ସ୍ଥାନରେ ତତ୍କାଳ ଚିକିତ୍ସା ସେବା ମିଳୁନଥିବା ହେତୁ ଅନେକ ବ୍ୟକ୍ତି ପ୍ରାଣ ହରାଇଥାନ୍ତି। ଯାହାକି ଏହି ବର୍ଷାଋତୁରେ ବଣଜଙ୍ଗଲ ଘେରା ଅଞ୍ଚଳ ମାନଙ୍କରେ ଲୋକ ଅଧିକ ସର୍ପାଘାତର ସମ୍ମୁଖୀନ ହୋଇଥାନ୍ତି। ଚିକିତ୍ସା ସେବା ନପାଇ ତଥା ଦେଶୀ ଚିକିତ୍ସା ଓ ଗୁଣି ଗାରେଡ଼ି ଉପରେ ଭରସା କରି ଅନେକଙ୍କ ମୃତ୍ୟୁ ହୋଇଥାଏ। ଦଶପଲ୍ଲା ବ୍ଲକରେ ଏଭଳି ଅନେକ ଘଟଣା ଘଟୁଥିବା ବେଳେ ଆଦିବାସୀ ବହୁଳ ଉପାନ୍ତ ଅଞ୍ଚଳବାସୀଙ୍କୁ ଜରୁରୀକାଳିନ ପରିସ୍ଥିତିରେ ଉପଯୁକ୍ତ ଚିକିତ୍ସା ସେବା ମିଳୁନଥିବା ଅଭିଯୋଗ ହେଉଛି। ସ୍ବାସ୍ଥ୍ୟକେନ୍ଦ୍ର ଥାଇ ଡ଼ାକ୍ତର ନଥିବା ବେଳେ ରୋଗୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ଆଣିବାରେ ଯୋଗାଯୋଗ କରିବା ଓ ଗମନାଗମନ ପାଇଁ ରାସ୍ତା ବାଧକ ସାଜୁଛି। ଯାହାକି ଗତକାଲି ଚଡ଼େୟାପଲ୍ଲୀ ପଞ୍ଚାୟତ ବାଲିବେରେଣା ଗ୍ରାମର ଜଣେ ବ୍ୟକ୍ତି ସର୍ପାଘାତରେ ପ୍ରାଣ ହରାଇଥିବା ଦେଖିବାକୁ ମିଳିଛି। ସେହିଭଳି ଗତବର୍ଷ ମଧ୍ୟ କଳସାଖମଣ ପଞ୍ଚାୟତରେ ଗୋଟିଏ ରାତିରେ ଶୋଇଥିବା ସମୟରେ ୨ ଜଣ ବ୍ୟକ୍ତିଙ୍କ ସର୍ପାଘାତରେ ମୃତ୍ୟୁ ଘଟିଥିଲା। ଏସବୁ ମଧ୍ୟରେ ଦେଖିବାକୁ ଗଲେ ଦଶପଲ୍ଲା ତହସିଲ ଅଧୀନରେ ଗତ ପ୍ରାୟ ୪ ବର୍ଷ ମଧ୍ୟରେ ସର୍ପାଘାତରେ ୧୫ ଜଣଙ୍କ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପ୍ରାକୃତିକ ବିପର୍ଯ୍ୟୟ ତଥା ସର୍ପାଘାତ, ବଜ୍ରପାତ ଏବଂ ପାଣିରେ ବୁଡି ମୃତ୍ୟୁ ଘଟୁଥିବା ବ୍ୟକ୍ତିଙ୍କ ପରିବାରକୁ ଅନୁକମ୍ପାମୂଳକ ସରକାରୀ ସହାୟତା ଯୋଗାଇ ଦେବାକୁ ସରକାର ଘୋଷଣା କରିଛନ୍ତି। ମୃତକଙ୍କ ପରିବାରକୁ ଏଥିପାଇଁ ୪ ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଇ ଦିଆଯାଉଛି। ୨୦୨୦ ମସିହା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅର୍ଥାତ୍ ୪ ବର୍ଷ ମଧ୍ୟରେ ଦଶପଲ୍ଲା ତହସିଲ ଅଧୀନରେ ୩୦ ଜଣ ବ୍ୟକ୍ତିଙ୍କ ଏହି ପ୍ରାକୃତିକ ବିପର୍ଯ୍ୟୟରେ ମୃତ୍ୟୁ ଘଟିଛି। ୩୦ ଜଣଙ୍କ ମଧ୍ୟରେ ୧୫ ଜଣ କେବଳ ସର୍ପାଘାତରେ ମୃତ୍ୟୁ ଘଟିଥିବା ତହସିଲ ପକ୍ଷରୁ ଜଣାପଡ଼ିଛି। ଯାହାକି ୨୦୨୦ରେ ୩ ଜଣ, ୨୦୨୧ରେ ୨ ଜଣ, ୨୦୨୨ରେ ୭ ଜଣ, ୨୦୨୩ରେ ୩ଜଣଙ୍କୁ ଏହି ସରକାରୀ ସହାୟତା ଯୋଗାଇ ଦିଆଯାଇଛି। ଦିନକୁ ଦିନ ସର୍ପାଘାତ ଜନୀତ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ବର୍ଷାଦିନେ ଏହି ସଂଖ୍ୟା ଅଧିକ ରହୁଥିବାରୁ ଦୂଷିତ ପରିବେଶ ସାଙ୍ଗକୁ ଲୋକଙ୍କ ମଧ୍ୟରେ ସଚେତନତା ଅଭାବ ପାଇଁ ଲୋକ ସଠିକ୍ ସମୟରେ ଚିକିତ୍ସିତ ହୋଇ ନପାରି ମୃତ୍ୟୁବରଣ କରୁଛନ୍ତି। ଏଥିପ୍ରତି ଜନ ସଚେତନତା ଆବଶ୍ୟକ ହୋଇପଡ଼ିଛି।

Comments (0)
Add Comment