ଆଇଏଏସ୍‌ ପଦବୀକୁ ଉନ୍ନୀତ ହେଲେ ୩ ଓଏଫଏସ୍‌ ଅଫିସର

ଭୁବନେଶ୍ୱର : ଓଡିଶା ଅର୍ଥ ସେବା (ଓଏଫଏସ)ର ୩ଜଣ ବରିଷ୍ଠ ଅଧିକାରୀ ଆଜି ଆଇଏଏସ୍‌ ପଦବୀକୁ ଉନ୍ନୀତ ହୋଇଛନ୍ତି । ଏନେଇ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଆଜି ବିଧିବଦ୍ଧଭାବେ ବିଜ୍ଞପ୍ତି ଜାରି ହୋଇଛି । ଏହି ୩ଜଣ ଅଫିସରଙ୍କୁ ୨୦୨୦ ସିଲେକ୍ଟ ତାଲିକାରେ ସାମିଲ କରାଯାଇଛି । ପରବର୍ତ୍ତୀ ସମୟରେ ଏହି ଅଫିସରମାନଙ୍କୁ କ୍ୟାଡର ଆବଣ୍ଟନ କରାଯିବ । କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ସରକାରଙ୍କ ଅଣ-ପ୍ରଶାସନିକ ସେବାର ୩ ଜଣ ବରିଷ୍ଠ ଅଫିସର ଡଃ ସତ୍ୟପ୍ରିୟ ରଥ, ଦୀପଙ୍କର ମହାପାତ୍ର ଓ ପ୍ରଣତି ଛୋଟରାୟଙ୍କୁ ଆଇଏଏସ୍‌ ପଦବୀକୁ ଉନ୍ନୀତ କରାଯାଇଛି । ୨୦୨୦ ସିଲେକ୍ଟ ଲିଷ୍ଟରେ ସେମାନଙ୍କୁ ସାମିଲ କରାଯାଇଥିବାବେଳେ ଭାରତୀୟ ପ୍ରଶାସନିକ ସେବା (କ୍ୟାଡର) ରୁଲସ-୧୯୫୪ର ରୁଲସ-୫(୧)ରେ ପରବର୍ତ୍ତୀ ସମୟରେ ଓଡିଶା କ୍ୟାଡର ଆବଣ୍ଟନ କରାଯିବ । ଏହି ୩ ଅଧିକାରୀଙ୍କ ବରିଷ୍ଠତା ଓ କ୍ୟାଡର ବର୍ଷ ନିର୍ଦ୍ଧାରଣ ନିମନ୍ତେ ଆବଶ୍ୟକ ପ୍ରସ୍ତାବ ନିର୍ଦ୍ଧାରିତ ଫର୍ମାଟରେ ପଠାଇବାକୁ ରାଜ୍ୟ ମୁଖ୍ୟ ସଚିବଙ୍କୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ଚିଠି ଲେଖି ଅବଗତ କରିଛି ।

Comments (0)
Add Comment