“ଭାରତ ଖୁବଶୀଘ୍ର କହିବ ଆମ ପାଖରେ ବାବର ଓ ରିଜୱାନଙ୍କ ଭଳି ଖେଳାଳି ନାହାନ୍ତି’

କରାଚୀ : ଟି-୨୦ ଫର୍ମାଟରେ ପାକିସ୍ତାନର ଓପନର୍‌ ମହମ୍ମଦ ରିଜୱାନ୍‌ ଏବଂ ବାବର ଆଜାମ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ଅଛନ୍ତି । ଚଳିତ ବର୍ଷ ଉଭୟ ଯେଉଁଭଳି ଖେଳ ପ୍ରଦର୍ଶନ କରିଛନ୍ତି ତାହା ଅତି ପ୍ରଶଂସନୀୟ । ଚଳିତ ବର୍ଷ ନିଜ ଦଳକୁ ଜିତାଇବାରେ ଉଭୟ ବ୍ୟାଟ୍ସମ୍ୟାନ୍‌ ସର୍ବାଧିକ ଅବଦାନ ରହିଛନ୍ତି । ଏହି ଓପନର ଯୋଡି ଯୋଗୁଁ ଦଳ ଚଳିତ ବର୍ଷ ବିଶ୍ୱକପ ଇତିହାସରେ ପ୍ରଥମ ଥର ପାଇଁ ଭାରତକୁ ପରାସ୍ତ କରିବାରେ ସକ୍ଷମ ହୋଇଥିଲା । ଉଭୟ ବ୍ୟାଟ୍ସମ୍ୟାନ୍‌ଙ୍କ ଏପରି ପ୍ରଦର୍ଶନ ଉପରେ ପାକିସ୍ତାନର ପୂର୍ବତନ କ୍ରିକେଟର ରସିଦ ଲତିଫ ସେମାନଙ୍କୁ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସହ ତୁଳନା କରିଛନ୍ତି ।
ସେ କହିଛନ୍ତି ଯେ ଏକ ସମୟରେ କୁହାଯାଇଥିଲା ଯେ ଆମ ପାଖରେ ରୋହିତ ଏବଂ କୋହଲିଙ୍କ ଭଳି ଖେଳାଳି ନାହାଁନ୍ତି । ବର୍ତ୍ତମାନ ଭାରତ କହିବ ଯେ ଆମ ପାଖରେ ବାବର ଏବଂ ରିଜୱାନ୍‌ ଭଳି ଖେଳାଳି ନାହାନ୍ତି । ‘ପିଟିଭି ସ୍ପୋର୍ଟସ’ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ଏକ ବର୍ଷ ପୂର୍ବେ ଆମେ କହିଥିଲୁ ଯେ ଟି -୨୦ କ୍ରିକେଟରେ ବିରାଟ କୋହଲି, ରୋହିତ ଶର୍ମା ଏବଂ କେ.ଏଲ୍‌ ରାହୁଲଙ୍କ ଭଳି ଖେଳାଳି ନାହାଁନ୍ତି । କିନ୍ତୁ ଆଗାମୀ କିଛି ଦିନ ମଧ୍ୟରେ ଭାରତୀୟମାନେ ମଧ୍ୟ କହିବେ ଯେ ରିଜୱାନ୍‌ ଏବଂ ବାବରଙ୍କ ପରି ଆମର ଖେଳାଳି ନାହାଁନ୍ତି ।
ୟୁଏଇରେ ଅନୁଷ୍ଠିତ ଟି -୨୦ ବିଶ୍ୱକପ୍‌ରେ ବାବର ଆଜାମଙ୍କ ନେତୃତ୍ୱରେ ପାକିସ୍ତାନ କ୍ରିକେଟ୍‌ ଦଳ ସେମିଫାଇନାଲକୁ ଯାଇଥିଲେ । ଦଳ ଲିଗ୍‌ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିଥିଲା ଏବଂ ଗୋଟିଏ ବି ମ୍ୟାଚ୍‌ ହାରି ନଥିଲା । ଦଳ କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ସେମିଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା । କ୍ୟାପଟେନ ବାବର ପାକିସ୍ତାନ ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ୍‌ ସଂଗ୍ରହ କରିଥିଲେ । ଚାରିଟି ଉତ୍କୃଷ୍ଟ ଅର୍ଦ୍ଧଶତକ ସମେତ ୬୦.୬୦ ର ଚମତ୍କାର ହାରାହାରି ୬ ଟି ମ୍ୟାଚରେ ସେ ୩୦୩ ରନ୍‌ ସଂଗ୍ରହ କରିଥିଲେ । ତାଙ୍କ ବ୍ୟତୀତ ରିଜୱାନ୍‌ ୬ ଟି ମ୍ୟାଚ୍‌ ରେ ୨୮୧ ରନ୍‌ ସଂଗ୍ରହ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ୍‌ ସ୍କୋରର ଦୃଷ୍ଟିରୁ ରିଜୱାନ୍‌ ଡେଭିଡ ୱାର୍ଣ୍ଣରଙ୍କ ପରେ ଅର୍ଥାତ୍‌ ତୃତୀୟ ସ୍ଥାନରେ ରହିଛନ୍ତି ।

Comments (0)
Add Comment