ଆଜି ୧୧ ତମ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ପ୍ରଶାସନ ତରଫରୁ ସ୍ଥାନୀୟ ଗୋଦାବରୀଶ ମହାବିଦ୍ୟାଳୟ ଠାରେ ଥିବା ଇନଡୋର ଷ୍ଟାଡିଅମରେ ବିଶାଳ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଅଞ୍ଚଳବାସିଙ୍କ ସହ ଯୋଗରେ ଭାଗ ନେଇଥିଲେ ।
ଅନୁରୂପ ଭାବେ ଉକ୍ତ ଶିବିରରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ ) ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପ ଜିଲ୍ଲାପାଳ କିଶୋର କୁମାର ପଣ୍ଡା, ତହସିଲଦାର ଟି. ପଦ୍ମନାଭ ଦୋରା, ବିଡ଼ିଓ ଶୀତଲ ଅଗ୍ରୱାଲ,ମହାବିଦ୍ୟାଳୟ ଅଧ୍ୟକ୍ଷ ବିନାୟକ ହୋତା ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ ଯୋଗ କାର୍ଯ୍ୟକ୍ରମରେ ଗୋଦାବରୀଶ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଞ୍ଚଳ ବାସିନ୍ଦାଙ୍କୁ ଯୋଗଗୁରୁ ସୁବ୍ରତ କୁମାର ମାନ୍ଧାତା ଯୋଗ ଶିକ୍ଷା ଦେବା ସହ ଯୋଗର ବିଭିନ୍ନ କାର୍ଯ୍ୟକାରିତା ସମର୍କରେ ଅବଗତ କରାଇଥିଲେ l
ଯୋଗ କରି ନିଜ ଶରୀର ନିରୋଗ ରଖିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସମସ୍ତଙ୍କୁ ନିବେଦନ କରିବା ସହ କେବଳ ଯୋଗ ଦିବସରେ ଯୋଗକଲେ ହେବନାହିଁ ବରଂ ପ୍ରତ୍ୟହ ଯୋଗ କରିବା ଆବଶ୍ୟକ ବୋଲି କହିଥିଲେ l ପରିଶେଷରେ ଯୋଗ କାର୍ଯ୍ୟକ୍ରମରେ ଭାଗ ନେଇଥିବା ସମସ୍ତ ବ୍ୟକ୍ତିଙ୍କ ପରିବାର, ବନ୍ଧୁ ଏବଂ ସମାଜକୁ ଯୋଗକରିବାକୁ ଉତ୍ସାହିତ କରି ସୁସ୍ଥ ରହିବାକୁ ଶପଥ ପାଠ କରାଯାଇଥିଲା l