ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ବନ୍ଧଗଡ଼ ବରାଳଦେବୀ ଖେଳ ପଡିଆଠାରେ ଜାଗ୍ରତ କନ୍ଧମାଳ ସାମାଜିକ ସଂଗଠନ ଫିରିଙ୍ଗିଆ ଶାଖା ପକ୍ଷରୁ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟା ଲଘୁ ପଛୁଆବର୍ଗ ଓବିସିଙ୍କ ସାମ୍ବିଧାନିକ ଅଧିକାର ଆଲୋଚନା ଚକ୍ର କନ୍ଧ ଗୌଡ଼ ସମାଜର ସଭାପତି ପ୍ରେମାନନ୍ଦ ମାଝୀଙ୍କ ସଭପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ତଥା ଜିଲ୍ଲା ମିଡିଆ ଫୋରମର ସଭାପତି ସୁନୀଲ କୁମାର ବିଶ୍ୱାଳ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଜାଗ୍ରତ କନ୍ଧମାଳର ସାଧାରଣ ସମ୍ପାଦକ ଯଥା ଆଇନଜୀବି ସତ୍ୟ ନାରାୟଣ ବେହେରା ଯୋଗଦେଇ ସମସ୍ତଙ୍କୁ ସାମ୍ବିଧାନିକ ଅଧିକାର ସମ୍ବନ୍ଧରେ ଅବଗତ କରାଇବା ସହ ପରସ୍ପର ମଧ୍ୟରେ ଏକତା ଓ ସହଯୋଗ ନିହାତି ଆବଶ୍ୟକ ବୋଲି ପରାମର୍ଶ ଦେବା ସହ ପଛୁଆବର୍ଗଙ୍କ ଜାତି ଗଣନା ୧୯୩୧ ମସିହା ଠାରୁ ଆଜି ପର୍ଯ୍ୟନ୍ତ କରା ନଯିବା ସେମାନଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରିବା ଦୁଖଃର ବିଷୟ ବୋଲି ବକ୍ତବ୍ୟ ରଖିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଜାଗ୍ରତ କନ୍ଧମାଳର ସଭାପତି ପ୍ରଶାନ୍ତ ମହାନ୍ତି, ସଙ୍ଗଠନର ଉପଦେଷ୍ଟା ଶ୍ୱେତବନ ପୂଜାରୀ, ଅଙ୍ଗଦ ବେହେରା, ସାମ୍ବାଦିକ ରାକେଶ ରାଉତ,ବନ୍ଧଗଡ଼ ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ଅନୀଲ କଁହର, ଗଙ୍ଗାଧର ପୃଷ୍ଟି, ସଂଗଠନର ସହ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଶିବିରରେ ୨୫୦ରୁ ଉର୍ଦ୍ଧ୍ୱ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ଏବଂ ସଂଖ୍ୟା ଲଘୁ ସମ୍ପ୍ରଦାୟର ଯୋଗ ଦେଇଥିଲେ । ପ୍ରତ୍ୟେକ ଗ୍ରାମର ଦେହରୀ, ପୂଜକ, ବାହକ, ମାଟିଗୁରୁ ଓ କଳାକାର ମାନଙ୍କୁ ମାନପତ୍ର ଉତରୀୟ ଦେଇ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ମୁଖ୍ୟ ଅତିଥି ଯୋଗଦେଇ ଜାଗ୍ରତ କନ୍ଧମାଳ ସାମାଜିକ ସଂଗଠନ ସର୍ବଦା କନ୍ଧମାଳବାସୀଙ୍କୁ ଏକତା ସୂତ୍ରରେ ବାନ୍ଧି ସମସ୍ତଙ୍କୁ ସେମାନଙ୍କ ନାର୍ଯ୍ୟ ଦାବି ନିମନ୍ତେ ଲଢେ଼ଇ କରି ଜନ ସାଧାରଣଙ୍କ ପ୍ରତି ଆକୃଷ୍ଟ ହେବାରେ ଲାଗିଛି ବୋଲି କହିଥିଲେ ।