ତହସିଲଦାରଙ୍କ ଦ୍ବାରା ୩୦୦ ବସ୍ତା ସାର ସହ ଟ୍ରକ୍ ଅଟକ

ବୌଦ୍ଧ – ଆଜି ଅପରାନ୍ହରେ କଣ୍ଟାମାଳ ତହସିଲଦାର ଅର୍ଜୁନ ପ୍ରଧାନ ପ୍ରାୟ 300 ବସ୍ତା ସାର ସହ ଗୋଟିଏ ଟ୍ରକକୁ ଅଟକ ରଖି ମନମୁଣ୍ଡା ଥାନାକୁ ଜିମାରେ ଦେଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ବ୍ଲକ୍ ବିଲାସପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ପଦରପଡା ଗ୍ରାମରେ ସାର ବ୍ୟବସାୟୀ ମେଘନାଦ ସାହୁଙ୍କ ଦୋକାନ ଆଗରେ ସାର ବୋଝେଇ ଗୋଟିଏ ଟ୍ରକ୍ ଥିବା କୌଣସି ସୂତ୍ରରୁ ଖବର୍ ପାଇ କଣ୍ଟାମାଳ ତହସିଲଦାର ଅର୍ଜୁନ ପ୍ରଧାନ ଚଢାଉ କରିଥିଲେ | ସାର ସହ ଟ୍ରକକୁ ଆଣି ମନମୁଣ୍ଡା ପୋଲିସକୁ ଜିମା ଦିଆଯାଇଛି l ଏ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରାପ୍ତ ପାଇଁ କଣ୍ଟାମାଳ ତହସିଲଦାରଙ୍କୁ ମୋବାଇଲ ନମ୍ବରରେ କଲ୍ କଲେ ସେ ଉଠାଉ ନଥିବାରୁ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ l ସ୍ଥାନୀୟ ଲୋକେ ଟ୍ରକରେ ୟୁରିଆ ସାର ଥିବା କହୁଥିବା ବେଳେ ମନମୁଣ୍ଡା ସହକାରୀ କୃଷି ଅଧିକାରୀ ଦେବାଶିଷ ଦେଶୀ ନାଏକ ପ୍ରାୟ 300 ବସ୍ତା ପଟାସ୍ ସାର ଥିବା କହିଛନ୍ତି l ସାର କେଉଁ ସ୍ଥାନରୁ ଆସିଥିଲା ଓ କେମିତି ଆସିଥିଲା ତଦନ୍ତ ପରେ ଜଣାପଡିବ ବୋଲି ଶ୍ରୀ ଦେଶୀ ନାଏକ ସୂଚନା ଦେଇଛନ୍ତି l

Comments (0)
Add Comment