ସଟଡାଉନ ପୂର୍ବସଂଧ୍ୟାରେ ବଜାର ଲୋକାରଣ୍ୟ: ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ନିୟମକୁ ଫୁ..

ସମ୍ବଲପୁର : ଗତ କିଛି ଦିନ ଭିତରେ ସମ୍ବଲପୁର ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧିକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଜୁଲାଇ ୨୨ରୁ ୩୧ ଯାଏଁ ଦୁଇଟି ପର୍ଯ୍ୟାୟରେ ସଟଡାଉନ ଘୋଷଣାକୁ ଏଠାରେ ସର୍ବତ୍ର ସ୍ୱାଗତ କରାଯାଉଛି । ଏଥିପାଇଁ କିନ୍ତୁ କିଛି ପ୍ରସ୍ତୁତି କରା ନ ଯାଇ ହଠାତ ଘୋଷଣା ଯୋଗୁଁ ଜନସାଧାରଣଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ଜିଲ୍ଲାପାଳ ଶୁଭମ ସକସେନାଙ୍କ କାର୍ଯ୍ୟାଳୟରୁ ଏ ବିଷୟରେ ନିର୍ଦ୍ଦେଶପତ୍ର ଗତକାଲି ମଙ୍ଗଳବାର ଅପରାହ୍ନ ପ୍ରାୟ ୨ଟା ସମୟରେ ସର୍ବସାଧାରଣରେ ଜାରି ହେଲା । ଏହାପୂର୍ବରୁ କାହାରିକୁ ଏ ବିଷୟରେ କିଛି ଜଣା ନଥିଲା, ଏଣୁ ଏହା ଜଣାପଡ଼ିଲା ପରେ ସବୁଆଡେ ଚହଳ ପଡ଼ିଗଲା । ଲୋକଙ୍କ ପାଖରେ ଦଶଦିନ ପାଇଁ ଖାଦ୍ୟପେୟ ମଧ୍ୟ ନ ଥିଲା । ସନ୍ଧ୍ୟାରେ ଦୋକାନ ବଜାରରେ ଅଭୂତପୂର୍ବ ଭିଡ଼ ଦେଖା ଯାଇଥିଲା, କାଳେ ଲୋକେ ଛାନିଆ ହୋଇ ଖାଦ୍ୟପେୟ କିଣି ବସିଲେ । ସନ୍ଧ୍ୟାରେ ବଜାରରେ ଭିଡ଼ ହଠାତ ବଢ଼ିଗଲା ଓ ପ୍ରମୁଖ ଛକମାନଙ୍କରେ ଭିଡହୋଇ ଟ୍ରାଫିକ ଜାମ ହୋଇ ଯାଇଥିଲା ଓ ସେଠାରେ ମୁତୟନ ପୁଲିସ ଅସହାୟ ନିରବଦ୍ରଷ୍ଟା ହୋଇ ଯାଇଥିଲେ । କିଛି ସମୟ ମଧ୍ୟରେ ସ୍ଥିତି ଏପରି ହେଲା ଯେ ଅନେକ ଦୋକାନରେ ଜିନିଷପତ୍ର ସବୁ ଶେଷ ହୋଇଗଲା ଓ ବଜାରରେ ଏକ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଥିଲା । କିଛି ଅସାଧୁ ବ୍ୟବସାୟୀମାନେ ଏହାର ସୁଯୋଗ ନେଇ କଳାବଜାରୀ ଆରମ୍ଭ କରିଦେଲେ । ବଜାରରେ ଏପରି କୃତ୍ରିମ ଅଭାବ ଯୋଗୁଁ ଯେଉଁ ଆଳୁ କିଲୋ ପ୍ରତି ୩୦ଟଙ୍କା ବିକ୍ରି ହେଉଥିଲା, ତାହାର ଦାମ ବଢି ହଠାତ ୪୫ରୁ ୫୦ଟଙ୍କା ପର୍ଯ୍ୟନ୍ତ ଯାଇଥିଲା । ସବୁଠାରୁ ପରିତାପର ବିଷୟ ହେଲା ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା କଥା କେହି ମାନି ନଥିଲେ । ଭଗବାନ ନ କରନ୍ତୁ, ଯଦି ଉକ୍ତ ଭିଡ଼ରେ ଦୁର୍ଭାଗ୍ୟବଶତଃ କେହି ଜଣେ କରୋନା ପଜିଟିଭ ବ୍ୟକ୍ତି ପଶିଯାଇଛି, ତାହେଲେ ପ୍ରଶାସନ ପକ୍ଷରୁ ଟ୍ରେସିଂ କରି କାହାରି ପାଖକୁ କିପରି ପହଞ୍ଚି ପାରିବ ତାହାହିଁ ଚିନ୍ତାର ବିଷୟ ।

Comments (0)
Add Comment