ଭୁବନେଶ୍ୱର ୨୧ ।୭: ରାଜଧାନୀ ଭୁବନେଶ୍ୱର ସମେତ ଏବେ ୪ଟି ଜିଲ୍ଲାରେ ୧୪ଦିନିଆ କଡାକଡି ଲକଡାଉନ ପାଳନ ହେଉଛି । କିନ୍ତୁ ଏଭଳି ସମୟରେ ବାପୁଜୀନଗର ଭଳି ଏକ ଜନଗହଳିପୂର୍ଣ୍ଣ ଅଂଚଳରେ ଓଭରବ୍ରିଜର ରାଜରାସ୍ତାରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଗୋଡେଇ ଗୋଡେଇ ହାଣିଛନ୍ତି । ଖବରପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ବାପୁଜୀନଗର ଅଂଚଳର ରଡ ଗୋଦାମ ବସ୍ତିର ପି.ନରସିଂହଙ୍କୁ ଦୁର୍ବୃତ୍ତମାନେ ପୂର୍ବ ଶତ୍ରୁତାରୁ ଗୋଡେଇ ଗୋଡେଇ ହାଣିଛନ୍ତି । ସୂଚନାଅନୁଯାୟୀ ଆଜି ସକାଳେ ବାପୁଜୀନଗର ରଡଗୋଦାମ ବସ୍ତିରେ ରହୁଥିବା ସୁରେନ୍ଦ୍ର ଦାସଙ୍କୁ ଆକ୍ରମଣର ଶିକାର ହୋଇଥିବା ପି.ନରସିଂହ ଆକ୍ରମଣ କରିଥିଲା । ଏହାକୁ ନେଇ ସୁରେନ୍ଦ୍ରର ଦୁଇ ପୁଅ ଓ ତାଙ୍କର ସହଯୋଗୀମାନେ ନରସିଂହକୁ ଧମକଚମକ ଦେଇଥିଲେ । ତେବେ ପରେ ସୁରେନ୍ଦ୍ରଙ୍କ ଦୁଇ ପୁଅ ନରସିଂହ ଘର ପାଖରେ ବସିଥିବା ବେଳେ ପହଞ୍ଚି ଅତର୍କିତ ଆକ୍ରମଣ କରିଥିଲେ । ଜୀବନ ବଞ୍ଚାଇବାକୁ ନରସିଂହ ବାପୁଜୀନଗର ଓଭରବ୍ରିଜ ରାଜରାସ୍ତାରେ ଦୌଡିଥିଲା । ଦୁର୍ବୃତ୍ତମାନେ ଛୁରାରେ ଗଡେଇ ଗଡେଇ ହାଣିଥିଲେ । ନରସିଂହ ଚିତ୍କାର କରି ତଳେ ପଡିଯିବା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ ।