ବିଜେପିରେ ଯୋଗ ଦେଲେ ଜେଏମଏମ ନେତା

ରାଞ୍ଚୀ: ଝାଡ଼ଖଣ୍ଡ ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ନେତା ଚମ୍ପାଇ ସୋରେନ ଶୁକ୍ରବାର ବିଜେପିରେ ଯୋଗ ଦେଇଛନ୍ତି। ଏଥି ପାଇଁ ରାଞ୍ଚୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ଝାଡଖଣ୍ଡ ବିଜେପି ସଭାପତି ବାବୁଲାଲ ମାରାଣ୍ଡିଙ୍କ ଉପସ୍ଥିତିରେ ସେ ପଦ୍ମ ଧରିଥିବାର ସୂଚନା ମିଳିଛି । କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ ଚମ୍ପାଇ ସୋରେନ ଝାଡଖଣ୍ଡ ନିର୍ମାଣ ପାଇଁ ଅନେକ କଷ୍ଟ ସ୍ୱୀକାର କରିଛନ୍ତି ଓ ନିଜ ଜୀବନକୁ ଜନତାଙ୍କ ସେବାରେ ସମର୍ପିତ କରିଛନ୍ତି। ଚମ୍ପାଇ ଝାଡଖଣ୍ଡର ଭ୍ରଷ୍ଟ ସରକାରକୁ ଶାସନରୁ ହଟାଇବା ଲାଗି ବିଜେପିରେ ସେ ଯୋଗ ଦେଇଥିବାର କହିଛନ୍ତି। ଆମେ ତାଙ୍କୁ ଦଳରେ ସ୍ୱାଗତ କରୁଛୁ। ସେ ଝାଡଖଣ୍ଡର ଟାଇଗର ଓ ଆମେ ଝାଡଖଣ୍ଡରେ ସରକାର ଗଢିବୁ ବୋଲି ଶିବରାଜ ଦାବି କରିଛନ୍ତି। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଛାଡିବାର ୨ ଦିନ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଶୁକ୍ରବାର ବହୁ ସଂଖ୍ୟକ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି।

୬୭ ବର୍ଷ ବୟଷ୍କ ଆଦିବାସୀ ନେତା ବିଜେପିରେ ଯୋଗ ଦେବା ଯୋଗୁ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳର ବଡ଼ ସଫଳତା ବୋଲି ମନେ କରାଯାଉଛି। ରାଜ୍ୟର ଅନୁସୂଚିତ ଜନଜାତି ବର୍ଗରେ ନିଜର ସ୍ଥିତି ମଜଭୁତ କରିବାରେ ବିଜେପିକୁ ଏବେ ବଳ ମିଳିବ ବୋଲି କୁହାଯାଉଛି। ରାଜ୍ୟର ଏହି ସମୂଦାୟ ଝାମୁମୋର ମୁଖ୍ୟ ଆଧାର ହୋଇ ରହିଛି। ଚମ୍ପାଇ ସୋରେନଙ୍କୁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ସଂସ୍ଥାପକ ଶିବୁ ସୋରେନଙ୍କ ନିକଟତମ ସହଯୋଗୀ ମନେ କରାଯାଏ। ଚମ୍ପାଇ ସୋରେନ ବୁଧବାର ଜେଏମଏମ ଛାଡିଦେଇଥିଲେ।

ପାର୍ଟି ଛାଡିବା ଅବସରରେ ଚମ୍ପାଇ ସୋରେନ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ବର୍ତ୍ତମାନ କାର୍ଯ୍ୟଶୈଳୀ ଓ ନୀତି ତାଙ୍କୁ ପାର୍ଟି ଛାଡିବାକୁ ବାଧ୍ୟ କରିଛି। ପୃଥକ ଝାଡଖଣ୍ଡ ରାଜ୍ୟ ଲାଗି ୧୯୯୦ ମସିହାରେ ହୋଇଥିବା ଆନ୍ଦୋଳନରେ ଚମ୍ପାଇ ସୋରେନଙ୍କ ଯୋଗଦାନ ପାଇଁ ତାଙ୍କୁ ‘ଝାଡଖଣ୍ଡ ଟାଇଗର’ କୁହାଯାଏ। ଝାଡଖଣ୍ଡକୁ ୨୦୦୦ ମସିହାରେ ଦକ୍ଷିଣ ବିହାରରୁ ଅଲଗା କରି ନୂଆ ରାଜ୍ୟର ମାନ୍ୟତା ଦିଆଯାଇଥିଲା। ରାଜ୍ୟର ୮୧ ସଦସୀୟ ବିଧାନସଭା ନିମନ୍ତେ ଚଳିତବର୍ଷ ଶେଷରେ ନିର୍ବାଚନ ଅନୁଷ୍ଠିତ ହେବ।

Comments (0)
Add Comment