ଯୋଡା,୯/୭- ଯୋଡ଼ାରେ ବ୍ରାହ୍ମଣୀ ରିଭର ପେଲେଟ ଲିମିଟେଡ୍ (ବିଆର୍ପିଏଲ୍) କମ୍ପାନୀର ପାଇପ୍ ଲାଇନ୍ ଫାଟିବା ଯୋଗୁଁ ସୁନା ନଦୀରେ ବହଳ ମୋଟାର କାଦୁଅ ପାଣି ମିଶି ପ୍ରଦୂଷିତ ହେବାକୁ ଲାଗିଛି । ଆଜି ଅପରାହ୍ନରେ ଯୋଡା ବଜାର ସ୍ଥିତ ସୁନାନଦୀ ପୋଲ ନିକଟ ଦେଇ ଯାଇଥିବା ପାଇପ୍ ଲାଇନରେ ହଠାତ୍ ବିସ୍ଫୋରଣ ହୋଇ ପାଇପ୍ ଫାଟିଯାଇଥିବା ଲୋକେ ଅଭିଯୋଗ କରିଛନ୍ତି । ପାଇପ୍ ଫାଟିବା ଫଳରେ ବ୍ୟାପକ ପରିମାଣର ଫାଇନ୍ସ (ଲୁହା ପଥର ଗୁଣ୍ଡ) ମିଶ୍ରିତ କାଦୁଅ ପାଣି ସିଧା ସଳଖ ସୁନା ନଦୀରେ ମିଶୁଛି ।
ଏହାଦ୍ୱାରା ନଦୀଜଳ ବହୁଳ ମାତ୍ରାରେ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି । ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ଜାହିର କରିବା ସହ ତୁରନ୍ତ ପାଇପ୍ ଲାଇନକୁ ମରାମତି ପାଇଁ ଦାବି କରିଛନ୍ତି । ଏଥି ସହିତ ସମ୍ପୃକ୍ତ କମ୍ପାନୀ ପକ୍ଷରୁ ନଦୀ ଜଳକୁ ବିଶୋଧନ କରିବା ପାଇଁ ଲୋକେ ଦାବି ଜଣାଇଛନ୍ତି । ସେପଟେ ପୋଲିସ୍ ଏବଂ କମ୍ପାନୀ ଅଧିକାରୀ ଘଟଣାସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆଗରୁ ମଧ୍ୟ ୨ଥର ଏହିପରି ପାଇପ୍ ଲାଇନ୍ ଫାଟି ଲୋକଙ୍କ ଘରେ କାଦୁଅ ପାଣି ପଶି ବ୍ୟାପକ କ୍ଷତି ହୋଇଥିଲା । ବିଆର୍ପିଏଲ୍ କମ୍ପାନୀର ଏହି ପାଇପ୍ ଲାଇନ୍ ଯୋଗେ ବଡବିଲ ଟଂଟୋ ଠାରୁ ଫାଇନ୍ସ ବା ଲୁହାପଥର ଗୁଣ୍ଡ ଯାଜପୁର କଳିଙ୍ଗ ନଗର ସ୍ଥିତ ପେଲେଟ ପ୍ଲାଂଟକୁ ନିଆଯାଇଥାଏ । ତେବେ କେଉଁ କାରଣରୁ ପାଇପ୍ ଲାଇନ୍ ଫାଟିଲା ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ନିୟମିତ ଯାଂଚ କରାଯାଉ ନଥିବାରୁ ଏପରି ଘଟିଥିବା ଅଭିଯୋଗ ହୋଇଛି ।