କାଦପଡା ରାମଲୀଳା ଯାତ୍ରା, ରାମ ବନବାସ ମଞ୍ଚସ୍ଥ

କିଆକଟା : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କିଆକଟା ପଞ୍ଚାୟତ ଅଧିନସ୍ଥ କାଦପଡା ଗ୍ରାମରେ ଚାଲିଥିବା ରାମଲୀଳା ଯାତ୍ରାର ତୃତୀୟ ସଂଧ୍ୟାରେ ରାମ ବନବାସ ନାଟକ ମଞ୍ଚସ୍ଥ ହୋଇଯାଇଛି । ଲୀଳା ଅଭିନୟ ଅନୁଯାୟୀ ପ୍ରଥମେ ରାଜ ଦଶରଥ ନିଜର ପାରିଷଦ ବର୍ଗଙ୍କ ମତାମତ ନେଇ ରାମଚନ୍ଦ୍ରଙ୍କୁ ଯୁବରାଜ ଭାବରେ ଅଭିଷେକ କରିବାକୁ ମନସ୍ଥ କରନ୍ତି । ଏହି ଖବର ପ୍ରଚାରିତ ହେବା ପରେ ସାରା ରାଜ୍ୟରେ ଖୁସିର ମାହୋଲ ସୃଷ୍ଟି ହୋଇଥିଲା । ଏହି ସମୟରେ ଦାସୀ ମନ୍ଥରା ଏକ ଚକ୍ରାନ୍ତ କରି ଭରତଙ୍କୁ ରାଜା କରାଇବା ପାଇଁ ମହାରାଣୀ କୈକେୟୀଙ୍କୁ କୁମନ୍ତ୍ରଣା ଦେଇଥିଲା । ମହାରାଣୀ କୈକେୟୀ ମଧ୍ୟ ପୁତ୍ର ମୋହରେ ମୋହଗ୍ରସ୍ତ ହୋଇ ମନ୍ଥରାର କଥା ରାଜି ହୋଇଯାନ୍ତି । ଏହାପରେ ମହାରାଣୀ ଦଶରଥଙ୍କ ନିକଟରେ ଅଳି କରନ୍ତି ଯେ, ତାଙ୍କ ପୁତ୍ର ଭରତଙ୍କୁ ଅଯୋଧ୍ୟାର ଯୁବରାଜ ଘୋଷଣା କରାଯାଉ । କିନ୍ତୁ ଦଶରଥ ଏଥିରେ ରାଜି ହୁଅନ୍ତି ନାହିଁ । ସେହି ସମୟରେ ପୂର୍ବରୁ ଦଶରଥ ଯାଚିଥିବା ୨ଟି ବରକଥା ମହାରାଣୀ ମନେ ପକାଇ ଦିଅନ୍ତି । ପ୍ରଥମ ବରରେ ଭରତ ରାଜା ହେବ ଓ ଦ୍ୱିତୀୟ ବରରେ ରାମଚନ୍ଦ୍ର ୧୪ବର୍ଷ ବନବାସ କରିବେ । ମହାରାଜା ଦଶରଥ ଏହାଶୁଣି ମର୍ମାହତ ହୁଅନ୍ତି । ମାତ୍ର ରାମଚନ୍ଦ୍ର ଏହି ଦୁଇଟି ବରକୁ ଗ୍ରହଣ କରି ବନକୁ ଯିବାକୁ ବାହାରି ପଡନ୍ତି । ପତିବ୍ରତା ସୀତା ମଧ୍ୟ ବନଗମନ କରନ୍ତି । ମାତାଙ୍କ ଆଦେଶରେ ଅନୁଜ ଲକ୍ଷ୍ମଣ ମଧ୍ୟ ବନଗମନ କରନ୍ତି । ଏତେବଡ଼ ଦୁଃଖକୁ ରାଜା ଦଶରଥ ସହ୍ୟ କରିପାରନ୍ତି ନାହିଁ । ଶେଷରେ ହା ରାମ ହାରାମ ଚିତ୍କାର କରି ସେ ପ୍ରାଣତ୍ୟାଗ କରନ୍ତି । ସେତେବେଳେ ଯୁବରାଜ ଭରତ ଓ ଶତ୍ରୁଘ୍ନ ମାମୁଁଘରେ ଥାଆନ୍ତି । ବାର୍ତ୍ତା ପାଇଁ ନଅରକୁ ପ୍ରତ୍ୟାବର୍ତ୍ତନ କରି ଦୁଃଖରେ ଭାଙ୍ଗି ପଡ଼ନ୍ତି ଓ ମନ୍ଥରାକୁ ଦଣ୍ଡ ଦିଅନ୍ତି । ଶେଷରେ ପିତୃକାର୍ଯ୍ୟ ଶୁଦ୍ଧିକ୍ରିୟା ସମାପନପରେ ଚତୁରାଙ୍ଗ ବଳନେଇ ଚିତ୍ରକୁଟ ଗମନ କରନ୍ତି । ଶ୍ରୀରାମଙ୍କୁ ଫେରାଇ ଆଣିବା ପାଇଁ ଚିତ୍ରକୁଟରେ ଶ୍ରୀରାମ ଭରତ ମିଳନ ହୁଏ । ମାତ୍ର ଶ୍ରୀରାମ ପ୍ରତ୍ୟାବର୍ତ୍ତନ କରିବାକୁ ମନାକରନ୍ତି । ଭରତ ଶ୍ରୀରାମଙ୍କ କଠାଉ ନେଇ ଫେରିଆସନ୍ତି ଓ କଠାଉକୁ ସିଂହାସନରେ ବସାଇ ନିଜେ ସନ୍ୟାସୀ ପରି ନନ୍ଦିଗ୍ରାମରେ ରହି ରାଜ୍ୟଭାର ଦେଖାଶୁଣା କରନ୍ତି । ଆଜିର ନୀଳାଭିନୟର ଦୃଶ୍ୟ ଗୁଡ଼ିକ ବାସ୍ତବିକ୍‌ ଭକ୍ତ ଓ ଦର୍ଶକ ମନକୁ ଆନ୍ଦୋଳିତ କଲାଭଳି ଜୀବନ୍ତ ଏବଂ ହୃଦୟସ୍ପର୍ଶୀ ହୋଇଥିଲା । ଯାତ୍ରାରେ ରାମ ଭୂମିକାରେ ପ୍ରଭାତ ଘିବେଲା, ଲକ୍ଷ୍ମଣ ଭୂମିକାରେ ପ୍ରମୋଦ ପ୍ରଧାନ, ସୀତା ଭୂମିକାର ସ୍ୱଦେଶ ପ୍ରଧାନ, ଦଶରଥ ଭୂମିକା କନିଷ୍ଠ ଦେହୁରୀ ପ୍ରମୁଖ ଅଭିନୟ କରିଥିଲେ । ଯାତ୍ରାକୁ ଦେଖିବାକୁ ପାଇଁ ଗ୍ରାମ ତଥା ଆଖାପାଖ ଗ୍ରାମର ବହୁ ଦର୍ଶକଙ୍କ ସମାଗମ ହୋଇଥିଲା ।

Comments (0)
Add Comment