ଗୋଲାମୁଣ୍ଡା,୧୧/୪- ପ୍ରଚଣ୍ଡ ଖରାସାଙ୍ଗକୁ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଉଥିବାବେଳେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକରେ ପ୍ରଶାସନ ପକ୍ଷରୁ ଜଳଛତ୍ର ଖୋଲାଯାଇ ନଥିବାରୁ ଲୋକେ ପାନୀୟଜଳ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି । ପ୍ରତିବର୍ଷ ମାର୍ଚ୍ଚ ମାସରେ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲୁଥିବାବେଳେ ଏବେ ଏପ୍ରିଲ ମାସ ଆସିଲାଣି କିନ୍ତୁ ଏଠାରେ ଜଳଛତ୍ର ଖୋଲାଯାଉନାହି । ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଆଜି କେଗାଁ ହନୁମାନ ଛକ ନିକଟରେ ଅଞ୍ଚଳର ଡ୍ରାଇଭର ସଙ୍ଘ ପକ୍ଷରୁ ଜଳଛତ୍ର ଖୋଲି ବାଟୋଇମାନଙ୍କୁ ପାଣି ଯୋଗାଯାଇଛି । ଡ୍ରାଇଭର ସଂଘର ଏହି ସେବାକୁ ପ୍ରଶଂସା କରାଯାଇଛି । ଚଳିତବର୍ଷ ପ୍ରବଳ ଖରା ଯୋଗୁଁ ଲୋକେ ଘରୁ ବାହାରିପାରୁନାହାନ୍ତି । ବାହାରୁ ଆସୁଥିବା ଲୋକ ଛକମାନଙ୍କରେ ଜଳଛତ୍ର ନ ଥିବାଯୋଗୁଁ ନାହିଁ ନଥିବା ହଇରାଣ ହେଉଛନ୍ତି । ତେଣୁ ବ୍ଲକ ପ୍ରଶାସନ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଶୀଘ୍ର ଜଳଛତ୍ର ଖୋଲିବା ପାଇଁ ସାଧାରଣରେ ଦାବି ହେଉଛି ।