ସିଂହାସନକୁ ବିଜେକଲେ କଳାଠାକୁର

ସମ୍ବଲପୁର : ଦୀର୍ଘ ପ୍ରାୟ ଏକମାସର ବ୍ୟବଧାନ ପରେ ଚତୁର୍ଧାମୂର୍ତ୍ତି ସ୍ବମନ୍ଦିର ସ୍ଥିତ ନିଜ ସିଂହାସନକୁ ବିଜେ କରିଛନ୍ତି। ଏହାସହିତ ୯ ଦିନ ପର୍ଯ୍ୟନ୍ତ ପରିଚାଳିତ ନବଦିନାତ୍ମକ ରଥଯାତ୍ରାର ପରିସମାପ୍ତି ଘଟିଛି। ଏହିକ୍ରମରେ ପ୍ରଥମେ ପ୍ରବଳ ସ୍ନାନ ଯୋଗୁଁ ଜ୍ବରରେ ପୀଡିତ ହେଲେ, ଏଥିରୁ ସୁସ୍ଥ ହେଲାପରେ ବଡଭାଇ ଓ ଭଉଣୀଙ୍କୁ ନେଇ ମାଉସୀ ଗୁଣ୍ଡିଚା ଘରକୁ ଯାତ୍ରା କରିଥିଲେ। ବାହୁଡା ଯାତ୍ରାରେ ସ୍ବମନ୍ଦିରକୁ ବାହୁଡିବା ପରେ ପ୍ରଭୁ ସୁନାବେଶ ରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ ଏହା ସହିତ ଗତକାଲି ଅଧରପଣା ଓ ଭିତିରିବିଜେ ନୀତି ଅନୁଷ୍ଠିତ ହୋଇଯାଇଛି। ଅଧରପଣା ଲାଗି ହେଲାପରେ ଚତୁର୍ଧାମୂର୍ତ୍ତିଙ୍କୁ ଗୋଟି ପହଣ୍ଡିରେ ଅଣାଯାଇଥିଲା। ତାପରେ ମନ୍ଦିର ଗମ୍ଭିରାକୁ ପ୍ରବେଶ ପୂର୍ବରୁ ଆରମ୍ଭ ହୋଇଥିଲା ଲକ୍ଷ୍ମୀ ନାରାୟଣଙ୍କ ମଧ୍ୟରେ କଳି। ଏଥିରେ ମହାଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିସାରିଲା ପରେ ଶ୍ରୀଜଗନ୍ନାଥ ମହାପ୍ରଭୁ ସ୍ବମନ୍ଦିର ଗମ୍ଭୀରାକୁ ବିଜେ କରିଥିଲେ। ଏହି ଅବସରରେ ଭକ୍ତମାନଙ୍କ ଗହଳିରେ ପ୍ରତ୍ୟହ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ଐତିହ୍ୟ ସମ୍ପନ୍ନ ସମ୍ବଲପୁରରେ ଶ୍ରୀଜଗନ୍ନାଥ ସଂସ୍କୃତିର ଏକ ସମୃଦ୍ଧ ପରମ୍ପରାର ଇତିହାସ ରହିଛି ଓ ଏଇଥିପାଇଁ ପ୍ରାଚୀନ ସହରର ପ୍ରତ୍ଯେକ ସାହି/ପଡ଼ାରେ ଐତିହାସିକ ଜଗନ୍ନାଥ ମନ୍ଦିର ମାନ ରହିଛି, କିନ୍ତୁ ଏଠାରେ ଏକମାତ୍ର ଗୁଣ୍ଡିଚା ମନ୍ଦିର ରହିଛି, ଯେଉଁଠାରେ ସବୁ ରଥ ଏକତ୍ରିତ ହୋଇଥାଏ ଓ ୯ ଦିନ ପର୍ଯ୍ୟନ୍ତ ଯାତ୍ରା ଅନୁଷ୍ଠିତ ହୁଏ ।‌ ଗତ କିଛି ବର୍ଷ ହେଲା ସେହି ମାର୍ଗରେ ଫ୍ଲାଇଓଭର ନିର୍ମାଣ ହୋଇଥିବାରୁ ଆଉ ତାହା ସମ୍ଭବ ହୋଇପାରୁନାହିଁ ।‌ ଏଠାରେ ପ୍ରତିବର୍ଷ ମହାଆଡ଼ମ୍ବର ସହିତ ରଥଯାତ୍ରା ପାଳନର ସମୃଦ୍ଧ ପରମ୍ପରା ରହିଛି । ଏହି କ୍ରମରେ ପ୍ରତ୍ଯେକ ପରିବାରରେ ଜନ୍ମିତ ଶିଶୁ ତା’ର ପ୍ରଥମ ବର୍ଷ ରଥଯାତ୍ରା ଅବସରରେ ରଥାରୁଢ଼ ହୋଇ ପରମପ୍ରଭୁ ଙ୍କ ଆଶିର୍ବାଦ ଲାଭ କରିଥାଏ, ଯାହାକି “ରଥଛୁଆଁ” ରୂପେ ପ୍ରସିଦ୍ଧ। ଏଭଳି ପରମ୍ପରାର ଅନ୍ୟତ୍ର ଉଲ୍ଲେଖ ନାହିଁ କୁହାଯାଇପାରେ ।

Comments (0)
Add Comment