କନ୍ଧମାଳରେ ସାଂସଦଙ୍କ ଧୂଆଁଧାର ପ୍ରଚାର

ଫୁଲବାଣୀ:କନ୍ଧମାଳ ଜିଲ୍ଲାର ବିଭିନ୍ନ ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଧୂଆଁଧାର ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ବିଭିନ୍ନ ଜିଲ୍ଲା ପରିଷଦ ଜୋନରେ ଶ୍ରୀ ସାମନ୍ତଙ୍କ ପ୍ରଚାର ସମୟରେ ବିପୁଳ ଜନ ସମର୍ଥନ ପରିଲକ୍ଷିତ ହେଉଛି । ଆଜି ଶ୍ରୀ ସାମନ୍ତ ବାଲିଗୁଡା ବ୍ଲକ୍‌ ୧୬ ନମ୍ବର ଜୋନ୍‌ର ବିଜେଡି ପ୍ରାର୍ଥୀ ଆଶିଷ ଦିଗଲ ଓ କେ ନୂଆଗାଁ ବ୍ଲକ୍‌ର ୧ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର ପ୍ରାର୍ଥିନୀ ଅନିତା ମଲ୍ଲିକଙ୍କ ପାଇଁ ନିର୍ବାଚନ ପ୍ରଚାରରେ ଆସି ସ୍ଥାନୀୟ ବିଜେଡି ଦଳୀୟ କର୍ମୀ ସମ୍ମିଳନୀରେ ଯୋଗଦେବା ସହ ନିର୍ବାଚନ ନେଇ ଆଲୋଚନା କରିଥିଲେ । ଏହି ଅବସରରେ ବିଜେଡି ପ୍ରାର୍ଥିନୀ ଶ୍ରୀମତୀ ଅନିତା ମଲ୍ଲିକ ଓ ଆଶିଷ ଦିଗଲଙ୍କ ବିଜୟ ସୁନିଶ୍ଚିତ କରିବାକୁ ଶ୍ରୀ ସାମନ୍ତ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ସମସ୍ତ ପଞ୍ଚାୟତରେ ଗାଁକୁ ଗାଁ ବୁଲି ଘରକୁ ଘର ଯାଇ ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା କିପରି ପରିବର୍ତ୍ତନ ଆଣିଛି, ସେ ସମ୍ପର୍କରେ ଲୋକଙ୍କୁ ବୁଝାଇବାକୁ ସେ ପରାମର୍ଶ ଦେଇଥିଲେ । ଶ୍ରୀ ସାମନ୍ତଙ୍କ ପ୍ରଚାର ସମୟରେ କର୍ମୀମାନଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ପରିଲକ୍ଷିତ ହୋଇଥିଲା । ଏହି କର୍ମୀ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣ ମୋହନ ପାଣିଗ୍ରାହୀ, ବ୍ଲକ୍‌ ସଭାପତି ବାସୁଦେବ ପଣ୍ଡା ଓ ଜିଲ୍ଲା ମହିଳା ସଭାନେତ୍ରୀ ପୁନମ କହଁର, ବାଲିଗୁଡା ବିଜେଡି ବ୍ଲକ୍‌ ସଭାପତି ଟୁନା ଦାସଙ୍କ ସମେତ ବିଜେଡିର ବହୁ ଛାମୁଆ ନେତା ଯୋଗ ଦେଇଥିଲେ । ପରେ ଶ୍ରୀ ସାମନ୍ତ ବାଲିଗୁଡା ବ୍ଲକ୍‌ ପରମପଙ୍ଗା ଗ୍ରାମ ପଞ୍ଚାୟତ ଓ କେ ନୂଆଗାଁ ବ୍ଲକ୍‌ ବନ୍ଦଗୁଡା ଗ୍ରାମ ପଞ୍ଚାୟତ ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର ଓ ପରିଚାଳନା ନେଇ ଛାମୁଆ କର୍ମୀ ଓ ନେତାଙ୍କ ସହ ଆଲୋଚନା କରିଥିଲେ । ଏହା ସହ ସେମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ ।

Comments (0)
Add Comment