ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ପୋସ୍କ କୋର୍ଟ ବିଚାରପତି ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ ଭାସ୍କରଚନ୍ଦ୍ର ସାହୁ ଆଜି ଏକ ୫ ବର୍ଷର ନାବାଳିକା ଦୁଷ୍କର୍ମ ମାମଲାର ବିଚାରଣା କରି ମାମଲାର ୧୪ ଜଣ ସାଖିଙ୍କ ବୟାନ ଏବଂ ଡାକ୍ତରୀ ରିପୋର୍ଟ ଓ ପ୍ରମାଣ ଆଧାରରେ ଅଭିଯୁକ୍ତ ପିଡୀତାଙ୍କ ଗ୍ରାମର ପ୍ରକାଶଚନ୍ଦ୍ର କହଁର (୨୫)କୁ ଦୋଷୀ ସାବ୍ୟସ୍ତ କରିବା ସହିତ ତାକୁ ୨୦ ବର୍ଷ ସଶ୍ରମ କରାଦଣ୍ଡାରେ ଦଣ୍ଡିତ କରିଛନ୍ତି । ଏହା ସହିତ ଅଭିଯୁକ୍ତକୁ ଏକ ଲକ୍ଷ ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଏକ ବର୍ଷ ଅଧିକ ଜେଲ ଦଣ୍ଡାଦେଶ ମଧ୍ୟ ଶୁଣାଇଛନ୍ତି ମାନ୍ୟବର ବିଚାରପତି । ଜରିମାନା ଆଦାୟ ହେଲେ ପୀଡିତାଙ୍କୁ କ୍ଷତିପୂରଣ ଭାବରେ ପ୍ରଦାନ କରାଯିବାକୁ ମଧ୍ୟ ବିଚାରପତିଙ୍କ ନିର୍ଦ୍ଦେଶ ରହିଛି ।

ସୂଚନା ଅନୁସାରେ ଖଜୁରିପଡା ଥାନା ଅଞ୍ଚଳରେ ରହୁଥିବା ପୀଡିତାଙ୍କ ଗାଁରେ ଗତ ୧୭/୦୭/୨୦୧୮ ତାରିଖରେ ୫ ବର୍ଷିୟା ପୀଡିତା ଓ ତାର ଆଉ ଜଣେ ଭଉଣୀ ଓ ତାଙ୍କ ଜେଜେବାପାଙ୍କ ସହିତ ଖରାଦିନ ଯୋଗୁଁ ଗରମ ହେଉଥିବା କାରଣରୁ ଘର ବାରଣ୍ଡାରେ ଶୋଇଥିଲେ । ମଧ୍ୟରାତ୍ରରେ ପୀଡିତା ସେ ଶୋଇଥିବା ଜାଗାରେ ନଥିବା ଦେଖି ଜେଜେବାପା ଏବଂ ତାଙ୍କ ଭଉଣୀ ତାଙ୍କୁ ଖୋଜାଖୋଜି କରିଥିଲେ । ଭୋର ସମୟରେ ପୀଡିତାଙ୍କୁ ନିକଟରେ ଥିବା ଏକ ପାଇଖାନାରେ ଅସୁସ୍ଥ ଅବସ୍ଥାରେ ପାଇବା ପରେ ତାକୁ ପଚାରିବା ପରେ ଅଭିଯୁକ୍ତ ତାକୁ ସେଠାରୁ ଉଠାଇ ନେଇ ତା ସହିତ ଦୁଷ୍କର୍ମ କରିଥିବା ନେଇ କହିଥିଲା । ଏହି ସଂକ୍ରାନ୍ତରେ ତା ପରଦିନ ଗାଁରେ ସଭା ହେବାପରେ ସଭାର ନିଷ୍ପତ୍ତି ପ୍ରକାରେ ୧୯ ତାରିଖରେ ଖଜୁରିପଡା ଥାନାରେ ଜେଜେବାପା ଏକ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ଖଜୁରିପଡା ଥାନା ପୋଲିସ ଏକ ମାମଲା ୫୮/୨୦୧୮ ପୋସ୍କ ଆଇନ ଅନୁସାରେ ରୁଜ୍ଜୁ କରିବା ସହିତ ଅଭିଯୁକ୍ତକୁ ଗିରଫ କରି କୋର୍ଟରେ ହାଜର କରାଇଥିଲା । ମାମଲାକୁ ସ୍ୱତନ୍ତ୍ର ପୋସ୍କ କୋର୍ଟର ପିପି ବନମାଳି ବେହେରା ପରିଚାଳନା କରୁଥିଲେ ।

Comments (0)
Add Comment