ଚକାପାଦରେ ମମତାଙ୍କ ଲାଗି ପ୍ରଚାର କଲେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ

ଫୁଲବାଣୀ:-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଆଜି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକରେ ବିଜେଡିର କର୍ମୀ ସମ୍ମିଳନୀରେ ଯୋଗଦେଇଥିଲେ । ଏଥିରେ ବ୍ଲକ୍‌ର ୬ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥିନୀ ମମତାରାଣୀ ବେହେରାଙ୍କ ସପକ୍ଷରେ କର୍ମୀମାନଙ୍କୁ ଘରକୁ ଘର ବୁଲି ପ୍ରଚାର କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ବହୁମୁଖୀ ଯୋଜନାର ସୁଫଳ କିପରି ଲୋକଙ୍କ ନିକଟରେ ପହଞ୍ଚି ପାରିଛି ସେ ସମ୍ପର୍କରେ ଜନସାଧାରଣଙ୍କୁ ବୁଝାଇବା ସହ ବିଜେଡି ପ୍ରାର୍ଥିନୀ ମମତାରାଣୀଙ୍କ ବିଜୟ ସୁନିଶ୍ଚିତ କରିବାକୁ ଶ୍ରୀ ସାମନ୍ତ ଆହ୍ୱାନ ଦେଇଥିଲେ । ପରେ କାଇଁଝର ଗ୍ରାମ ପଞ୍ଚାୟତର ବଦୃଗୁଡା, କୁମ୍ଭାର ସାହି, ପିପୁଡେଇଠାରେ ବିଜେଡି କୋର ସଦସ୍ୟଙ୍କ ସହ ନିର୍ବାଚନ ପରିଚାଳନା ନେଇ ଆଲୋଚନା କରିଥିଲେ । ସେହିପରି ବାଡିମୁଣ୍ଡା ପଞ୍ଚାୟତର ଓଲିଂଘୋଷାଠାରେ ବିଜେଡିର ଛାମୁଆ ସଦସ୍ୟଙ୍କ ସହ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଆଲୋଚନା କରିଥିଲେ । ବିଭିନ୍ନ ସ୍ଥାନରେ ଦଳୟ କର୍ମୀମାନେ ସାଂସଦ ଶ୍ରୀ ସାମନ୍ତଙ୍କୁ ନିକଟରେ ପାଇ ବେଶ ଉତ୍ସାହିତ ହୋଇଥିଲେ । ଏହି ଅବସରରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ ଯେଭଳି ଭଲ ପ୍ରଦର୍ଶନ କରିବ ସେଥିପାଇଁ ଶ୍ରୀ ସାମନ୍ତ ସମସ୍ତ କର୍ମୀଙ୍କ ସହଯୋଗ କାମନା କରିଥିଲେ । କାର୍ଯ୍ୟକ୍ରମରେ ଚକାପାଦ ବ୍ଲକ ୬ ନମ୍ବର ଜୋନ୍‌ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥିନୀ ମମତାରାଣୀ ବେହେରାଙ୍କ ସମେତ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବିଜେଡି ଜିଲ୍ଲା ମହିଳା ସଭାନେତ୍ରୀ ପୁନମ୍‌ କହଁର, ଛାତ୍ରନେତା ସୁନୀଲ ସେଠୀ, ବିଜେଡି ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ଶିବ ତ୍ରିପାଠୀ ବ୍ଲକ୍‌ ସଭାପତି ରାଜେଶ ଦିଗଲ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment