କନ୍ଧମାଳରେ ରାସ୍ତା ଯନ୍ତ୍ରଣା : ରୋଗୀଙ୍କୁ ବୋହିଥିଲେ, ଶବକୁ ବି ୫ କି.ମି ବୋହିଲେ

ଫୁଲବାଣୀ: ରାଜ୍ୟ ଓ କେନ୍ଦ୍ର ସରକାର ଯୋଜନା ପରେ ଯୋଜନା କରିଥିଲେ ମଧ୍ୟ ତାହାର ସୁଫଳ କିନ୍ତୁ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନଥିବା ଜଣାପଡିଛି । କେଉଁଠି ରାସ୍ତା ନାହିଁ ତ କେଉଁଠି ଚିକିତ୍ସା ସୁବିଧାର ଘୋର ଅଭାବ ଦେଖିବାକୁ ମିଳୁଛି । ଆଜି ମଧ୍ୟ କେତେକ ଗ୍ରାମକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ମଧ୍ୟ ଯାଇପାରୁନାହିଁ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାରେ । ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରିନଥିବାରୁ ବାଧ୍ୟ ହୋଇ ଜଣେ ରୋଗୀଙ୍କୁ ତାଙ୍କ ସଂପର୍କୀୟମାନେ ୫ କି.ମି ବୋହି ଫୁଲବାଣୀସଦର ମହକୁମା ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ତାଙ୍କର ମୃତ୍ୟୁ ହେବାରୁ ପୁଣି ଥରେ ସେହି ବ୍ୟକ୍ତିଙ୍କ ଶବକୁ ବୋହି ନିଜକୁ ଆଣିଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀ ବ୍ଲକର ତୁଡିପାଜୁ ପଞ୍ଚାୟତ ଅନ୍ତର୍ଗତ ଟାଡ଼ପଙ୍ଗା ଗ୍ରାମରେ । ଗ୍ରାମର ଦେବେଶ୍ୱର କହଁର ନାମକ ଜଣେ ସତୁରି ବର୍ଷୀୟ ବୃଦ୍ଧବ୍ୟକ୍ତି ହଠାତ ଅସୁସ୍ଥ ହୋଇ ପଡିଥିଲେ, ଫଳରେ ଗ୍ରାମବାସୀ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ଆଉ ଆମ୍ବୁଲାନ୍ସ ବି ଆସିଲା, ହେଲେ ଗାଁରେ ପହଞ୍ଚି ପାରିଲାନି । ଫଳରେ ପରିବାର ଲୋକେ କାନ୍ଧରେ ବୋହିକି ତାଡ଼ପଙ୍ଗା ଗ୍ରାମରୁ ଗୁମି, ସୁଡୁ ବାଲି ଓ ମିଣିଆ କାଠି ଗ୍ରାମ ଦେଇ ଡକାଙ୍ଗି ଆଣିଥିଲେ । ସେଠାରୁ ଆମ୍ବୁଲାନ୍ସରେ ଆଣିଥିଲେ । ଠିକ ପୁଣି ଶବ ବୁହା ଗାଡି ଡକାଙ୍ଗି ଯାଏ ଯାଇଥିଲା,ସେଠାରୁ ଶବକୁ ବୋହିକି ନେଇଥିଲେ । ସଦର ମହକୁମା ଫୁଲବାଣୀରୁ ମାତ୍ର ଦଶ କିଲୋମିଟରରେ ଏଭଳି ଅବସ୍ଥା ଯାହାକି ଜିଲ୍ଲା ପ୍ରଶାସନ ଆଡକୁ ଆଙ୍ଗୁଳି ଉଠୁଛି ।ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଗ୍ରାମବାସୀ ଦାବି କରି ଆସୁଛନ୍ତି ହେଲେ ପ୍ରଶାସନ ଶୁଣୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ବର୍ତ୍ତମାନ ସେହି ଅଞ୍ଚଳ ଲାଗି ରାସ୍ତା ନିର୍ମାଣ ପାଇଁ ପ୍ରାୟ ୧୯ କୋଟି ଟଙ୍କା ଅନୁଦାନରେ ରାସ୍ତା କାମ ଗତ ସପ୍ତାହେ ହେଲା ଆରମ୍ଭ ହୋଇଥିବା ଜଣାପଡିଛି । ତେବେ ଜିଲ୍ଲାରେ ଏଭଳି ପାଞ୍ଚ ଶହରୁ ଉଦ୍ଧ୍ୱର୍ ଗ୍ରାମ ଓ ପଡା ରହିଛି ଯେଉଁଠିକୁ ପକ୍କା ରାସ୍ତା ନାହିଁ । ଏସବୁ ଗ୍ରାମକୁ କେବେ ରାସ୍ତା ହେବ ଦେଖିବାର କଥା ।

Comments (0)
Add Comment