ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଦ୍ୱିତୀୟ ବୃହତ ଶକ୍ତି ଭାବେ ଉଭା ହୋଇଥିବା ଜିଲ୍ଲା ପାଣ ସମାଜ କଲ୍ୟାଣ କମିଟିରେ ଫାଟ ସୃଷ୍ଟି ହୋଇ ଭୁଲ ବୁଝାମଣାବଶତଃ ସଭାପତି ଅନାମ କୁମାର ନାୟକଙ୍କ ନେତୃତ୍ୱରେ ଗୋଟିଏ ଜିଲ୍ଲା କମିଟି ଓ ବ୍ରହ୍ମା ବେହେରାଙ୍କ ନେତୃତ୍ୱରେ ଆଉ ଗୋଟିଏ କମିଟି, ଏଭଳି ଦୁଇଟି ଜିଲ୍ଲା କମିଟି ଗଠିତ ହୋଇ ନିଜ ନିଜ ଭିତରେ ଦୀର୍ଘ ପାଞ୍ଚ ବର୍ଷ ହେବ ଗୋଷ୍ଠୀ ବିବାଦ ଲାଗିରହିଥିଲା । ଏହି କରୋନା ମହାମାରୀ ଯୋଗୁଁ ଉଭୟ କମିଟିର ୫ ବର୍ଷ ଅବଧି ସରି ଯାଇଥିଲେ ମଧ୍ୟ ଉଭୟେ ଜିଲ୍ଲା କମିଟିକୁ ନୂତନ ଭାବେ ପୁନର୍ଗଠନ କରିପାରିନ ଥିଲେ । କିଛିଦିନ ତଳେ ଉଭୟ ଗୋଷ୍ଠୀର ବିଚାର ବିମର୍ଶ ପରେ ଉଭୟ ଏକତ୍ରିତ ଭାବେ ଦୁଇଟି କମିଟିକୁ ସମ୍ପୂର୍ଣ୍ଣ ଭାଙ୍ଗିଦେବା ପାଇଁ ନିଷ୍ପତି ପ୍ରକାରେ, ଆଜି ସମସ୍ତ ବ୍ଲକ ଓ ଗ୍ରାମ ପଂଚାୟତ ସ୍ତରୀୟ ସଭାପତି ସମ୍ପାଦକ ଓ ପାଣ ଜାତିର ନେତୃ ସ୍ଥାନୀୟ ମୁରବି ଏବଂ କମିଟିର କର୍ମକର୍ତ୍ତା ମାନଙ୍କ ଉପସ୍ଥିତିରେ ଫିରିଙ୍ଗିଆ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଗୁରୁବାର ଦିବା ୧୧ ଘଟିକା ସମୟରେ ଏବଂ ଉପସ୍ଥିତ କର୍ମକର୍ତ୍ତା ସମ୍ମୁଖରେ ଦୁହେଁ ମିଶି ଦୁଇଟି ଯାକ ଜିଲ୍ଲା କମିଟିକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦେଇଥିଲେ । ଆଗାମୀ ଦିନରେ ଜିଲ୍ଲାକମିଟି ଗୁଡିକୁ ନୂତନ ଭାବେ ପୁନର୍ଗଠନ କରିବା ପାଇଁ ଜିଲ୍ଲା କମିଟି ରେ ଥିବା ଅଭିଜ୍ଞ ୭ ଜଣଙ୍କୁ ସଦସ୍ୟଙ୍କୁ ନେଇ ଏକ ନୂତନ ଭାବେ ପରିଚାଳନା କମିଟି କାର୍ଯ୍ୟ କରିବା ପାଇଁ କ୍ଷମତା ଅର୍ପଣ କରାଯାଇଥିଲା । ସେମାନେ ହେଲେ ସର୍ବଶ୍ରୀ ସତ୍ୟ ନାରାୟଣ ବେହେରା, ବରିଷ୍ଠ ଆଇନଜୀବୀ ମଧୁସୂଦନ ବେହେରା, କ୍ଷୀରୋଦ କୁମାର ସାହାଣୀ, ଚନ୍ଦ୍ର ମୋହନ ନାୟକ, ରାଜେନ୍ଦ୍ର ନାରାୟଣ ବେହେରା, ଦୁଃଶାସନ ବଳିୟାର ସିଂ, ବଳଭଦ୍ର ଡିଗାଲ ଓ ପଙ୍କଜ ବେହେରା କୁମ୍ଭାରପଡାଙ୍କୁ ନେଇ ଏହି ୭ ଜଣିଆ କମିଟି ଗଠନ କରାଯାଇଛି । ଆଗାମୀ ଦିନରେ ନୂତନ ଜିଲ୍ଲା କମିଟି ଗଠନ କରି ସତ୍ୟପାଠ କରେଇବା ପର୍ଯ୍ୟନ୍ତ ଏହି ନିର୍ବାଚନ କମିଟି ଦାୟିତ୍ୱରେ ରହି କାର୍ଯ୍ୟ ତୁଲାଇବେ ବୋଲି ଅଧିବେଶନରେ ନିଷ୍ପତ୍ତି ଗ୍ରହଣ କରାଗଲା । ଏହି ୭ ଜଣିଆ କମଚଳା କମିଟି ଆଗାମୀ ନୂତନ ଜିଲ୍ଲା କମିଟି ପୁନର୍ଗଠନର ସମ୍ପୂର୍ଣ୍ଣ ପ୍ରକ୍ରିୟା ଓ ଇସ୍ତାହାର ପ୍ରକାଶ କରିବେ ଓ ତଦନୁଯାଇ ନିର୍ବାଚନ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ । ଜିଲ୍ଲା ପାଣ ସମାଜ କଲ୍ୟାଣ କମିଟିରେ ଲାଗିରହିଥିବା ଦୀର୍ଘ ୫ ବର୍ଷର ଗୋଷ୍ଠୀ ବିବାଦର ଅବସାନ ଘଟିଛି ଓ ଉଭୟ ଗୋଷ୍ଠୀର ସଦସ୍ୟମାନେ ଏଭଳି ପଦକ୍ଷେପକୁ ଗ୍ରହଣ କରିଛନ୍ତି ଓ ସ୍ୱାଗତ କରିଛନ୍ତି । ଏହା ଦ୍ୱାରା ଏକ ସୁସ୍ଥ ସୁନ୍ଦର ବଳିଷ୍ଠ ପାଣ ସମାଜ ଗଠନ ହୋଇପାରିବ ବୋଲି ଜାତିର ନେତୃ ସ୍ଥାନୀୟ ଲୋକେ ଖୁସି ବ୍ୟକ୍ତ କରିଛନ୍ତି । ବୈଠକରେ ବ୍ଲକ ସଭାପତି ଚନ୍ଦ୍ର ମୋହନ ନାୟକ (ଫିରିଙ୍ଗିଆ), ରାଜେନ୍ଦ୍ର ନାରାୟଣ ନେହେରା (ଚକାପାଦ), ଦୁଃଶାସନ ବଳିୟାର ସିଂ (କୋଟଗଡ), ପଙ୍କଜ ବେହେରା (ଫୁଲବାଣୀ ପୌର ପରିଷଦ), ବଲଭଦ୍ର ଡିଗାଲ (ଖଜୁରୀପଡା),ଡ଼ଃ ସୋମନାଥ ବାଘ , ଅରବିନ୍ଦ ନାୟକ ବ୍ରାହ୍ମଣ ପାଦ, ଅଚ୍ୟୁତ ନନ୍ଦ ସେଠି (ସାମ୍ବାଦିକ), ବିଦୁର ବେହେରା (ସାମ୍ବାଦିକ), ଦିଲୀପ ଡିଗାଲ, ନଈରୁତ ଡିଗାଲ (ଫିରିଙ୍ଗିଆ), ଅନଙ୍ଗଦେବ ବେହେରା, ଡାକପାଲା, ତ୍ରିନାଥ ମାଝୀ , ଅଙ୍ଗଦ ବେହେରା ସମେତ ଅନେକ ବରିଷ୍ଠ ଜାତିପ୍ରେମୀ ଓ ଜାତିର ମାନ୍ୟ ଗନ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ । ଏହାପରେ ଫିରିଙ୍ଗିଆ ବ୍ଲକ ସଭାପତି ଚନ୍ଦ୍ର ମୋହନ ନାୟକ, ଜିଲ୍ଲା ସଭାପତି ଅନାମ କୁମାର ନାୟକ ଓ ବ୍ରହ୍ମା ବେହେରା ସାଧାରଣ ସମ୍ପାଦକ କ୍ଷୀରୋଦ କୁମାର ସାହାଣୀ ଓ ବରିଷ୍ଠ ଆଇନଜୀବୀ ସତ୍ୟ ନାରାୟଣ ବେହେରାଙ୍କୁ ଉପଢୌକନ ଦେଇ ବିଦାୟୀକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଦେଖାଯାଉ ଆଗାମୀ ଦିନରେ ଏଭଳି ଅନ୍ତଦ୍ୱର୍୍ୱନ୍ଦର ଅବସାନ କରି ନୂତନ ଏକକ ଜିଲ୍ଲା କମିଟି ଗଠନ ହୋଇପାରୁଛି କି ପୁରୁଣା ପାଠର ପୁଣି ଆଲୋଚନା ହେଉଛି, ତାହା ଆଗାମୀ ସମୟ କହିବ ।