କଣ୍ଟାବାଞ୍ଜି,୧୮/୧୦- ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଜମିଦାରପଡାରେ ଗତ ନୂଆଁଖାଇଦିନ ଜମିଦାରପଡାରେ ଥିବା ପ୍ରତିଷ୍ଠିତ କପଡା ବ୍ୟବସାୟୀ ବିନୋଦ ଜୈନଙ୍କ ସ୍ତ୍ରୀ ମଞ୍ଜୁଦେବୀକୁ ଘରେ ପଶି ହତ୍ୟା କରି ଫେରାର ଥିବାବେଳେ, ଦୀର୍ଘଦିନ ଧରି ପୋଲିସ ଖୋଜାଖୋଜି କରି ପରିଶେଷରେ ସେହିପଡାର ଜଣକୁ ହତ୍ୟା ଆରୋପରେ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି । ତେବେ କେଉଁ ଆଧାରରେ ତାକୁ ଗିରଫକରି କୋର୍ଟଚାଲାଣ କରାଯାଇଛି ତାହା ପୋଲିସ ଗଣମାଧ୍ୟମରେ ପ୍ରକାଶ କରିନାହିଁ । ଅନ୍ଧାରରେ ବାଡ଼ି ବୁଲାଇଲା ଭଳି ପୋଲିସ କାର୍ଯ୍ୟ କରିଥିବା ସାଧାରଣରେ ଆଲୋଚନା ହେଉଛି । କାରଣ ହତ୍ୟା ଆରୋପି ମୋତି ଭୋଇ ହତ୍ୟା କରିଛି ବୋଲି ଅଞ୍ଚଳରେ ଭରସା ହେଉନାହିଁ, ବା ପୋଲିସ କୌଣସି ଉପଯୁକ୍ତ ପ୍ରମାଣ ଦେଉନାହିଁ । ପୋଲିସ କେଶ ନମ୍ବର ୯୦୪ / ୨୦୨୧ ରେଜିଷ୍ଟର କରି ହତ୍ୟାମାମଲା ରୁଜୁକରି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ହତ୍ୟାରେ ଘରୋଇ ବ୍ୟବହାର ସାମଗ୍ରୀରେ ହତ୍ୟା ହୋଇଥିବାବେଳେ, ହତ୍ୟା ପରେ ଯେ କୌଣସି ହତ୍ୟାକାରୀ ହେଉ ନା କାହିଁକି ଭୟରେ ଫେରାର ହେବାପାଇଁ ଚେଷ୍ଟା କରିବେ, ଶବକୁ ଲୁଚାଇବାକୁ କେବେବି ଚେଷ୍ଟା କରିବେ ନାହିଁ, ହତ୍ୟା କରିବା ପରେ ୨୫ ଫୁଟ ଯାଏ ଶବକୁ ଟାଣିବାର ସାହସ କିଏ କରିପାରେ ତାହା ଅନୁଧ୍ୟାନ କରାଯିବା ଉଚିତ ଓ ପ୍ରକୃତ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।