କଣ୍ଟାବାଞ୍ଜି, ୧୭/୧୧- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସାମ୍ବାଦିକ ସଙ୍ଘ ପକ୍ଷରୁ ସ୍ଥାନୀୟ ଡାକ ବଙ୍ଗଳା ପରିସର ରେ ଜାତୀୟ ପ୍ରେସ୍ର ଦିବସ ପାଳିତ ହୋଇଯାଇଛି । ସଙ୍ଘର ସଭାପତି ସୁବାଷ ଚନ୍ଦ୍ର ବେହରାଙ୍କ ସଭାପତିତ୍ୱରେ ଉପସ୍ଥିତ ବରିଷ୍ଠ ସାମ୍ବାଦିକ ଡା. ସଞ୍ଜୟ କୁମାର ମିଶ୍ର କହିଥିଲେ ଯେ ସାମ୍ବାଦିକତା ସମାଜରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରଖିବା ସଙ୍ଗେସଙ୍ଗେ ସମାଜରେ ମାଧ୍ୟମ ସୃଷ୍ଟି କରିବାରେ ସକ୍ଷମ ହୋଇଛି । କରୋନା ଭଳି ମହାମାରୀ ରେ ନିଜ ଜୀବନକୁ ବାଜିଲଗାଇ ସମାଜର ହିତପାଇଁ ଆଗରେ ରହି କାର୍ଯ୍ୟ କରୁଥିବାରୁ ସେ ସମସ୍ତ ସାମାଦିକମାନଙ୍କୁ ପ୍ରଶଂସା କରିଥିଲେ । ଏହି ଅବସରରେ ସଙ୍ଘର କାର୍ଯ୍ୟକାରି ସଭାପତି ଜୀବନାନନ୍ଦ ମହାନ୍ତି ବିପରୀତ ପରିସ୍ଥିତିରେ ବି ସାମ୍ବାଦିକ ନିଜ କର୍ତ୍ତବ୍ୟ ସଂପାଦନ କରୁଥିବାରୁ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି । ପ୍ରତ୍ୟେକ ବର୍ଷ ଏହି ନଭେମ୍ବର ମାସ ୧୬ ତାରିଖ ଦିନକୁ ଜାତୀୟ ପ୍ରେସ ଦିବସ ଭାବେ ପାଳନ କରାଯାଇଥାଏ କିନ୍ତୁ ଚଳିତବର୍ଷ କରୋନା କଟକଣା ଯୋଗୁଁ ଜିଲ୍ଲା ପ୍ରଶାସନ ତରଫରୁ ପାଳନ କରାଯାଇପାରିଲା ନାହିଁ । ସଭା ପ୍ରାରମ୍ଭରେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ସାମ୍ବାଦିକମାନଙ୍କ ଆତ୍ମାର ସଦଗତି ପାଇଁ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ବେହେରା, ସମ୍ପାଦକ ଗୁରୁଦୟାଲ ହଂସ , କୋଷାଧ୍ୟକ୍ଷ ମୋହନ ସୋନି, କୀର୍ତିକର ବାଗ, ଏସ. କେ. ସମେମ, ବିନୋଦ ସିଂଙ୍କ ସମେତ ବହୁ ସାମ୍ବାଦିକ ଯୋଗଦେଇ ସେମାନଙ୍କ ମତ ରଖିଥିଲେ ।