ବିଦ୍ୟୁତ ସେବା ନେଇ ତାତିଲେ ଉପଭୋକ୍ତା: ରାଜ ରାସ୍ତାରେ କଲେ ସଭା

କଣ୍ଟାମାଳ,୧୬/୯ – ବିଦ୍ୟୁତ ଭଳି ସେବାରେ ଅତିଷ୍ଠ କଣ୍ଟାମାଳବ୍ଲକ ପଲସାଗୋରା ଅଞ୍ଚଳର ଉପଭୋକ୍ତା ଆଜି ସନ୍ଧ୍ୟାରେ ଏକତ୍ରିତ ହୋଇ ଏହାରି ପ୍ରତିକାର ପାଇଁ ଏକ ଉପଭୋକ୍ତା ମେଳି ସଭା ପଲସାଗୋରା-ଦପଲା ରାସ୍ତାରେ କରିଥିବା ଦେଖିବାକୁ ମିଳିଛି । ଗତ କିଛି ମାସ ହେଲା କଣ୍ଟାମାବ୍ଲକରେ ନିୟମିତଭାବେ ବିଦ୍ୟୁତ ବ୍ୟାହତ ହେତୁ ଉପଭୋକ୍ତା ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇ ଚାଲିଥିବାବେଳେ ଗତ ୪ଦିନ ହେଲା ପଲସାଗୋରା ଅଞ୍ଚଳର ଅନେକ ଗ୍ରାମ ସଂପୂର୍ଣ୍ଣ ଅନ୍ଧକାର ମଧ୍ୟରେ ରହିଥିଲା । ବିଦ୍ୟୁତ ଯୋଗାଣ ନେଇ ବିଭାଗର ଚରମ ଅବହେଳା ଏବଂ ମନମାନୀକୁ ନେଇ ଆଜି ଏହି ମେଳି ସଭା ହୋଇଥିବା ବେଳେ ଏହାରି ସ୍ଥାୟୀ ସମାଧାନ ପାଇଁ ସ୍ୱର ଉତ୍ତୋଳନ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ସଂପ୍ରତି ଟାଟା କମ୍ପାନୀ ବିଦ୍ୟୁତ ବିତରଣର ଦାୟିତ୍ୱ ନେବାପରେ ବିଦ୍ୟୁତ ସମସ୍ୟାର ଦୂରୀକରଣ ହେବାନେଇ ବେଶ ଆଶାବାଦୀ ରହିଥିବାବେଳେ ପୂର୍ବ ଅପେକ୍ଷା ଅଧିକ ସମୟ ବିଦ୍ୟୁତ ରହୁନଥିବା ହେତୁ ଉପଭୋକ୍ତା ଓ ବିଦ୍ୟୁତ କର୍ମଚାରୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି । ଆଜି ସନ୍ଧ୍ୟାରେ ସମାଜସେବୀ ସଦାଶିବ ପାଢୀଙ୍କ ଆବାହକତ୍ୱରେ ଏକ ବୈଠକ ପଲସାଗୋରା-ଦପଲା ରାସ୍ତାର ଯୁନାନୀ ନିକଟରେ ହୋଇଥିଲା । ଏହି ବୈଠକରେ ବିଦ୍ୟୁତ ସେବାରୁ ବଞ୍ଚିତ ଅନ୍ୟୁନ ୧୪ ଗୋଟି ରାଜସ୍ୱ ଗ୍ରାମର ଉପଭୋକ୍ତା ଯୋଗ ଦେଇଥିଲେ । ଏହି ସଭାରେ ବିଦ୍ୟୁତ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ଆଗାମୀ ଦିନରେ ଜନସାଧାରଣଙ୍କ ସହଯୋଗ ରହିଲେ ସେମାନେ ବିଦ୍ୟୁତ ସରବରାହରେ ବ୍ୟାଘାତ ସୃଷ୍ଟିକରୁଥିବା ଗଛ ଡାଳ ଆଦି କାଟି ଯେପରି ନିୟମିତ ବିଦ୍ୟୁତ ଉପଭୋକ୍ତା ପାଇବେ ସେମାନେ କାର୍ଯ୍ୟ କରିବେ ବୋଲି ପ୍ରତିଶୃତି ଦେଇଥିଲେ ।

ଅନ୍ୟପକ୍ଷରେ ନିୟମିତ ବିଦ୍ୟୁତ ଯୋଗାଣର ସ୍ଥାୟୀ ସମାଧାନ ପ୍ରତି ଟାଟା କମ୍ପାନୀ ଓ କାର୍ଯ୍ୟରତ ଯନ୍ତ୍ରୀମାନେ ପଦକ୍ଷେପ ନନେଲେ ଉପଭୋକ୍ତ।ମାନେ ବାଧ୍ୟହୋଇ ରାଜରାସ୍ତା ଅବରୋଧ ସହ ମନମୁଣ୍ଡା କାର୍ଯ୍ୟାଳୟ ଘେରାଉ କରିବେ ବୋଲି ସଦାଶିବ ପାଢୀ ଚେତାବନୀ ଦେଇଛନ୍ତି । ଏହି ମେଳି ସଭାରେ ପଲସାଗୋରା ସରପଞ୍ଚ ସମୀର ମାଝୀ, ରୂପଲାଲ ରଣା, ପୂର୍ବତନ ସରପଞ୍ଚ ପଞ୍ଚାନନ ସାହୁ, ସୁଧୀର ସାହୁ, ଚୈତନ୍ୟ ରଣା, ବାବୁଲୁ ମେହେର, ସତ୍ୟ କପାଟ, ଦେବାଶୀଷ ମଲିକ, ଲମ୍ବୋଦର, ଜୟକୃଷ୍ଣ ସାହୁ ସମେତ ଯୁନାନୀ, ମଲିକପଦର, ଘୁଲଘୁଲାପଦର, ଡେଙ୍ଗପଦର, ଆମପାଲି, ଗୁଆବାହାଲ, କୁଣ୍ଡାମାଲ, ରୁଗଡିପାଲି, ଦପଲା, ଖମସିରପାଲି, ଝିକେରପାଲି ଆଦି ଅନ୍ୟ ଗ୍ରାମର ଉପଭୋକ୍ତା ଯୋଗ ଦେଇଥିଲେ ।

Comments (0)
Add Comment