ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କଲେ ସାମାଜିକ କର୍ମୀ ଅମେଲ ରଣା

କଣ୍ଟାମାଳ, ୧/୮- ବିଦ୍ୟୁତର ଶକ୍ତ ଆଘାତରେ ସମାଜିକ କର୍ମୀ ଅମେଲ ରଣାଙ୍କ ଅକାଳ ମୃତ୍ୟୁ ଘଣ୍ଟାପଡା, ଆମ୍ବଗାଁ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ପ୍ରକାଶ ବୌଦ୍ଧଜିଲ୍ଲା କଣ୍ଟାମାଳବ୍ଳକ ତେତେଲଖୁଣ୍ଟି ଗ୍ରାମର ଅମେଲ (୪୦ବର୍ଷ) ଆଜି ସକାଳୁ ପ୍ରାୟ ୬.୩୦ ମିନିଟ ସମୟରେ ନିଜ ବିଲ କାମ ଦେଖିଯିବା ସହ କ୍ଷେତରେ ଧାନତଳି କିଛି ଲଗାଉଥିବା ବେଳେ ଭୂତଳ ନଳକୂପ ପାଇଁ ପୋତା ଯାଇଥିବା ବିଦ୍ୟୁତ ଖୁଣ୍ଟର ସପର୍ଟ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ହିଁ   ପଡି ଯାଇଥିଲେ । ନିକଟ ବିଲରେ କାମ କରୁଥିବା ଅନ୍ୟ ଗ୍ରାମବାସୀ ପାଟିଶୁଣି ଘଟଣାସ୍ଥଳକୁ ଆସି ଅମେଲକୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରି କଣ୍ଟାମାଳ ସି.ଏଚ.ସିକୁ ଆଣିଥିଲେ ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଅମେଲର ବିଧବାପତ୍ନୀ ଓ ଏକ ମାତ୍ର ୪ ବର୍ଷର ପୁଅ ଥିବା ଜଣାଯାଇଛି । ମୃତ ଅମେଲ ପ୍ରଥମ ଓଡିଶା ପାଇଁ ହରଭଙ୍ଗା ବ୍ଲକରେ କାର୍ଯ୍ୟ କରୁଥବବା ବେଳେ ଲକଡାଉନ ପାଇଁ ଘରକୁ ଆସିଥିଲେ । ସେ ଜଣେ ନିଷ୍ଠାପର ସମାଜସେବୀଭାବେ ଗତ ୨୦ ବର୍ଷ ହେଲା ବିଭିନ୍ନ ଅନୁଷ୍ଠାନରେ କାମ କରିବା ସହ ତାଙ୍କ ନିଜ ତେନ୍ତୁଳିଖୁଣ୍ଟି ଗ୍ରାମର ଯୁବକ ମାନଙ୍କୁ ନେଇ ଗ୍ରାମର ବିକାଶମୂଳକ କାର୍ଯ୍ୟରେ ସାମିଲ ଥିଲେ । ଅମେଲଙ୍କ ଅକାଳ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ସ୍ଥାନୀୟ ବିଧାୟକ ମହୀଧର ରଣା, କୁମ୍ଭାର ଯୁବା ମଞ୍ଚର ରାଜ୍ୟ ଉପ ସଭାପତି ପ୍ରଶାନ୍ତ ରଣା ପ୍ରମୁଖ ଅମେଲଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ହିଁ ଅମେଲର ମୃତ୍ୟୁ ହୋଇଥିବା ହେତୁ ତାଙ୍କ ବିଧବା ପତ୍ନୀ ଓ ପୁଅକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ମହଲରୁ ଦାବୀ ହୋଇଛି ।

Comments (0)
Add Comment