ରଥ ଉପରେ ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ତିନି ଠାକୁର

କେଉଁଝର,୧୭/୭- ବିଶ୍ୱର ସର୍ବୋଚ୍ଚ଼ ରଥରେ ସୁନା ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । କେନ୍ଦୁଝରର ରାଷ୍ଟ୍ର ଦେବତା ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କର ସର୍ବୋଚ୍ଚ ନନ୍ଦିଘୋଷ ରଥରେ ଆଜି ସୁନାବେଶରେ ସଜ୍ଜିତ ହୋଇ ଶ୍ରୀଜୀଉମାନେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି । ଶ୍ରୀଜୀଉମାନଙ୍କର ଏହି ଅପୂର୍ବ ସୁନାବେଶ ଦର୍ଶନ କରିବା ପାଇଁ କେନ୍ଦୁଝର ବଡଦାଣ୍ଡରେ ଲାଗିଛି ଭକ୍ତଙ୍କର ଗହଳି । ଭକ୍ତଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ୍‌ ଓ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ରଥ ଚାରିପଟେ ବ୍ୟାରିକେଡ୍‌ ଲଗାଯାଇଛି । ରଥ ଉପରେ ଓ ତଳେ ବ୍ୟାପକ ପୋଲିସ୍‌ ବାହିନୀ ମୁତୟନ କରାଯାଇଥିବାବେଳେ ଶ୍ରୀ ବଳଦେବଜୀଉ ମନ୍ଦିରକୁ ଯାଉଥିବା ସମସ୍ତ ରାସ୍ତାରେ ଉପଯୁକ୍ତ ଟ୍ରାଫିକ୍‌ ବନ୍ଦୋବସ୍ତ କରାଯାଇଛି । ଶ୍ରଦ୍ଧାଳୁମାନେ ଯେଭଳି ଭାବେ ନିଜର ଯାନବାହାନ ଉପଯୁକ୍ତ ସ୍ଥାନରେ ରଖି ପ୍ରଭୁଙ୍କ ସୁନାବେଶ ଦର୍ଶନ କରିପାରିବେ, ସେଥିପାଇଁ ବିଭିନ୍ନ ସ୍ଥାନରେ ପାର୍କିଂର ମଧ୍ୟ ବ୍ୟବସ୍ଥା କରାଯାଇଛି । ସୁନାବେଶରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ୧୫ପ୍ଲାଟୁନ୍‌ ପୋଲିସ୍‌ ମୁତୟନ କରାଯାଇଥିବା କହିଛନ୍ତି ସଦର ଏସଡିପିଓ । ପାଗ ଅନୁକୂଳ ଥିବାରୁ ଭକ୍ତମାନେ ଉତ୍ସାହର ସହିତ ମହାପ୍ରଭୁଙ୍କ ଦର୍ଶନ କରି ଟିକିଏ ଆଶୀର୍ବାଦ ନେବାକୁ ଧାଇଁ ଆସିଛନ୍ତି ।

Comments (0)
Add Comment