କିଛି ବି ମୌଳିକ ସୁବିଧା ନଥିବା ଗାଁ ଗୁନିଗାନି

ବୌଦ୍ଧ : ସ୍ୱାଧୀନତାର ୭୩ବର୍ଷ ପରେ ମଧ୍ୟ ଏମିତି ଗାଁ ରହିଛି ଯେଉଁଠି ଲୋକଙ୍କୁ ଉପଲବ୍ଧ ହୋଇପାରୁନାହିଁ ସର୍ବନିମ୍ନ ମୌଳିକ ସୁବିଧା । ବୌଦ୍ଧ ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୨୫ କିଲୋମିଟର ଦୂରରେ ବୌଦ୍ଧ ବ୍ଲକ ବଘିଆପଡା ଗ୍ରାମ ପଞ୍ଚାୟତର ସମାପାଜୁ ନିକଟ ଗୁନିଗାନି ଗାଆଁର ଅବସ୍ଥା ଏମିତି । ପ୍ରାୟ ୧୫ଟି ଆଦିବାସୀ ପରିବାର ବାସ କରୁଥିବା ଏହି ଗାଁରେ ନା ଅଛି ବିଜୁଳି ନା ଅଛି ବିଶୁଦ୍ଧ ପାଣିର ବ୍ୟବସ୍ଥା । ଗାଁକୁ ଯିବାକୁ ହେଲେ ରାସ୍ତା ନଥିବାରୁ ଭୁକ୍ତାପଡା ଗ୍ରାମରୁ ପ୍ରାୟ ୩ କି.ମି. ରାସ୍ତା ପାଦରେ ଚାଲିଚାଲି ଯିବାକୁ ପଡିଥାଏ । ସେହି ୩ କି.ମି. ରାସ୍ତା ମଧ୍ୟରେ ଜଙ୍ଗଲ, ନାଳ ଆଦି ମଧ୍ୟ ପାର ହେବାକୁ ପଡେ । କିରୋସିନୀ, ଚାଉଳ ଆଦି ନିତ୍ୟ ବ୍ୟବହାର୍ଯ୍ୟ ଓ ଜରୁରୀ ସାମଗ୍ରୀ ପାଇଁ ଗ୍ରାମବାସୀ ନିର୍ଭର କରନ୍ତି ୫ କିଲୋମିଟର ଦୂର ପଞ୍ଚାୟତ ସଦର ମହକୁମା ବଘିଆପଡା ଗ୍ରାମ ଉପରେ । କାହାର ଦେହ ଖରାପ ହେଲେ ଗାଁ ପର୍ଯ୍ୟନ୍ତ ପହଞ୍ଚିପାରେନି ଆମ୍ବୁଲାନ୍ସ । ଏଭଳି ସବୁ ନାହିଁ ନାହିଁର ଗାଆଁଟିଏ ହେଉଛି ଗୁନିଗାନି ।


ଗାଆଁରେ ଅନେକ ସମସ୍ୟା ରହିଛି । ଗାଆଁର ଦୁଇଜଣ ଆଦିବାସୀ ଲୋକ ନୀଳମ୍ବର ପ୍ରଧାନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓ ସନ୍ତତୀ ପ୍ରଧାନ ବିଜୁ ପକ୍କାଘର ଯୋଜନାରେ ୨୦୧୬-୧୭ ମସିହାରୁ ହିତାଧିକାରୀ ହୋଇଛନ୍ତି । ଘରକାମ ସରିସାରିବା ପରେ ମଧ୍ୟ ୩ବର୍ଷ ମଧ୍ୟରେ ଏହି ଗୃହନିର୍ମାଣର ଶେଷ କିସ୍ତି ଟଙ୍କା ସେମାନଙ୍କର ଜମାଖାତାକୁ ଆସିପାରିନାହିଁ । ସେ ଟଙ୍କା କେହି ଉଠାଇ ଖାଇଦେଇଛି ନାଁ ସରକାରୀ ବାବୁମାନଙ୍କ ନାଲିଫିତା ତଳେ ରହି ଯାଇଛି ତାହା ସେମାନେ ମଧ୍ୟ ଜାଣନ୍ତି ନାହିଁ । ଏ ଦିଗରେ ସେମାନେ ପଞ୍ଚାୟତ ଠାରୁ ବ୍ଲକ ଯାଏଁ ସମସ୍ତଙ୍କୁ କହି କହି ଥକିଯିବାପରେ ଏବେ ନିରବ ରହିଛନ୍ତି ।


ଜିଲ୍ଲାପାଳ ଏବଂ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଗୁନିଗାନି ଗ୍ରାମ ଉପରେ ଟିକିଏ ସ୍ୱତନ୍ତ୍ର ଦୃଷ୍ଟିଦେଲେ ଅନେକ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି ଗ୍ରାମବାସୀ ଆଶା ରଖିଛନ୍ତି ।

Comments (0)
Add Comment