କିସ୍‍ ରେ ଆରମ୍ଭ ହେଲା ଇ-ଲର୍ଣ୍ଣିଂ କ୍ଲାସ୍‍ : ୩୦ ହଜାର ପିଲାଙ୍କ ଘରେ ପହଞ୍ଚିଲା ଶିକ୍ଷାଦାନ

ଭୁବନେଶ୍ୱର: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ ଅଫ୍‍ ସୋସିଆଲ୍‍ ସାଇନ୍‍ସେସ୍‍(କିିସ୍‍) ଉଦ୍ୟମରେ ଏବଂ କଳିଙ୍ଗ ଟିଭି ପ୍ରୟାସରେ କିସ୍‍ ଇ-ଲର୍ଣ୍ଣିଂ କ୍ଲାସ କାର୍ଯ୍ୟକ୍ରମ ବୁଧବାର କିସ୍‍ରେ ଉଦ୍‍ଘାଟିତ ହୋଇଯାଇଛି । କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରି କହିଲେ ଶ୍ରେଣୀଗୃହ ଶିକ୍ଷାଦାନ ପଦ୍ଧତି ହେଉଛି ଶିକ୍ଷାଦାନର ପ୍ରକୃତ ପଦ୍ଧତି । କିନ୍ତୁ ଏବେ କରୋନା ମହାମାରୀ ପାଇଁ ସ୍କୁଲ୍‍, କଲେଜ ବନ୍ଦ ଥିବାବେଳେ ଆବଶ୍ୟକ ନ ଥିଲେ କେହି ବାହରକୁ ବାହରୁନାହାନ୍ତି । ଏଥିପାଇଁ କିଟ୍‍ ଓ କିସ୍‍ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । କିସ୍‍ ଛାତ୍ରଛାତ୍ରୀଙ୍କ ସୁବିଧା ଅସୁବିଧା ବୁଝିବା ସହ ସେମାନଙ୍କ ପାଠପଢାରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିପାଇଁ କିସ୍‍ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି । କିସ୍‍ର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସମସ୍ତେ କିସ୍‍ ଛାତ୍ରଛାତ୍ରୀଙ୍କ ଯୋଗାଯୋଗରେ ରହିଆସିଛନ୍ତି । କିସ୍‍ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଘରେ ପାଠ୍ୟପୁସ୍ତକ ଓ ଶୁଖିଲା ଖାଦ୍ୟ ପହଞ୍ଚାଇ ଦିଆଯାଇଥିବାବେଳେ ସେମାନେ ଘରେ ଥାଇ ଯେପରି ପାଠ ପଢିପାରିବେ ସେଥିପାଇଁ କଳିଙ୍ଗ ଟିଭି ସହଯୋଗରେ କିସ୍‍ ପକ୍ଷରୁ ଇ-ଲର୍ଣ୍ଣିଂ କ୍ଲାସ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏଥିପାଇଁ ପ୍ରତିଦିନ କଳିଙ୍ଗ ଟିଭିରେ ଅଧଘଣ୍ଟାଏ ଲେଖାଏଁ ସେମାନଙ୍କ ପାଠ ସମ୍ପର୍କିତ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ । ଘରେ ବସି ଏହାର ସୁଯୋଗ ନେବାପାଇଁ ଶ୍ରୀ ସାମନ୍ତ କିସ୍‍ର ଛାତ୍ରଛାତ୍ରୀଙ୍କ୍‍ୁ ପରାମର୍ଶ ଦେଇଥିଲେ । ତାଲାବନ୍ଦ ଯୋଗୁଁ କିସ୍‍ ପିଲାମାନେ କିଭଳି ସେମାନଙ୍କ ଶିକ୍ଷା ଜାରି ରଖି ପାରିବେ ସେ ନେଇ ପ୍ରତିଷ୍ଠାତା ଶ୍ରୀ ସାମନ୍ତ ଚିନ୍ତା କରି ବ୍ୟବସ୍ଥା କରିଥିଲେ । ପ୍ରଥମେ କିସ୍‍ର ୩୦ ହଜାର ପିଲାଙ୍କୁ ହ୍ୱାଟ୍‍ସ ଆପ୍‍ ଓ ମୋବାଲଇ ଜରିଆରେ ଶିକ୍ଷା କରାଯାଉଥିଲା । ଏଣିକି ପିଲାମାନେ ଇ-ଲର୍ଣ୍ଣିଂ କାର୍ଯ୍ୟକ୍ରମ ଜରିଆରେ ଶିକ୍ଷାଦାନ କରାଯିବ । ଇ-ଲର୍ଣ୍ଣି କ୍ଲାସ୍‍ରେ ଯାହା ସବୁ ପଢ଼ାଯିବ ତାର ଶିକ୍ଷଣ ଉପକରଣ ପିଲାମାନଙ୍କ ନିକଟକୁ ପଠାଇ ଦିଆଯିବ । ଫଳରେ ଶିକ୍ଷାଲାଭରେ ସେମାନଙ୍କର ଆଉ କୌଣସି ଅସୁବିଧା ରହିବ ନାହିଁ । ଶିକ୍ଷାଦାନକୁ ପିଲାଙ୍କ ଘରେ ପହଞ୍ଚାଇ ଦେବା ପାଇଁ ଏହା ହେଉଛି କିସ୍‍ର ପ୍ରଥମ ପ୍ରୟାସ ବୋଲି ଶ୍ରୀ ସାମନ୍ତ କହିଥିଲେ । ଏହି ଇ-ଲର୍ଣ୍ଣିଂ କ୍ଲାସ୍‍ ମାଧ୍ୟମରେ ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ବିଶେଷ ଉପକୃତ ହେବେ । ଏହା ଦ୍ୱାରା କେବଳ କିସ୍‍ ଛାତ୍ରଛାତ୍ରୀ ନୁହଁନ୍ତି, ସମଗ୍ର ଓଡ଼ିଶାର ଛାତ୍ରଛାତ୍ରୀମାନେ ମଧ୍ୟ ଉପକୃତ ହୋଇପାରିବେ । ଓଡ଼ିଶାର ବିଭିନ୍ନ ଓଡ଼ିଆ ମାଧ୍ୟମ ସ୍କୁଲ୍‍ରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଏହି ସୁଯୋଗର ସଦୁପଯୋଗ କରିପାରିବେ । ଆସନ୍ତା ସୋମବାରଠାରୁ କଳିଙ୍ଗ ଟିଭିରେ ପ୍ରତିଦିନ ଏହି କାର୍ଯ୍ୟକ୍ରମ ପ୍ରସାରଣ କରାଯିବ ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‍ ଓ କିସ୍‍ର ସମ୍ପାଦକ ଆର.ଏନ୍‍ ଦାଶ, କିସ୍‍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment