କରୋନା ଆକ୍ରାନ୍ତଙ୍କୁ ସ୍ଥାନାନ୍ତର ପାଇଁ ସ୍ବାସ୍ଥ୍ୟ ଟିମକୁ ଘେରିଲେ ଗ୍ରାମବାସୀ

ବୌଦ୍ଧ – କଣ୍ଟାମାଳ ବ୍ଲକ୍ ଦପଲା ଗ୍ରାମ ପଂଚାୟତର ବଉଳସିଙ୍ଗା ଗ୍ରାମରେ ଜଣେ ଯୁବତୀ କରୋନା ଆକ୍ରାନ୍ତ ହୋଇଥିବା ଗତ ରବିବାର ରିପୋର୍ଟ ଆସିଥିଲା l ସରପଞ୍ଚ ବଉଳସିଙ୍ଗା ଗ୍ରାମକୁ ଆଜି ମଧ୍ୟରାତ୍ରୀ ଯାଏଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି | ଗତକାଲି ମନମୁଣ୍ଡା ଡାକ୍ତରଖାନାର ସ୍ୱାସ୍ଥ୍ୟ ଟିମ୍ ଗାଆଁକୁ ଯାଇଥିବା ସମୟରେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଥିବା ଦେଖିବାକୁ ମିଳିଥିଲା l କଣ୍ଟେନମେଣ୍ଟ ଜୋନ ଘୋଷଣା ସତ୍ବେ 50 ରୁ ଅଧିକ ଗ୍ରାମବାସୀ ସ୍ୱାସ୍ଥ୍ୟ ଟିମ୍ ଆଗରେ ଏକତ୍ର ହୋଇ ସଂକ୍ରମିତଙ୍କୁ କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ଦାବି କରିଥିଲେ | ଏଠାରେ ଉଲ୍ଲେଖଯୋଗ୍ୟ ଯେ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ ପ୍ରଶାସନ ବୌଦ୍ଧ କୋଭିଡ ଡାକ୍ତରଖାନାକୁ ନ ନେଇ ନିଜ ଘରେ ହୋମ୍ ଆଇସୋଲେସନରେ ଛାଡି ଦେଇଛି l ରୋଗୀ ଘରେ ଥିବାରୁ ଓ ଆଇସୋଲେସନରେ ରହିବା ଭଳି ସମସ୍ତ ବ୍ୟବସ୍ଥା ଉପଲବଧ ନ ଥିବାରୁ ଲୋକେ ସଂକ୍ରମଣର ଆଶଙ୍କାରେ ଆତଙ୍କିତ ହୋଇ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ଘେରିଥିଲେ l ଆକ୍ରାନ୍ତଙ୍କ ପରିବାର ଓ ତାଙ୍କ ସହ ସମ୍ପର୍କରେ ଆସିଥିବା ବ୍ୟକ୍ତି ବିଶେଷ ମାନଙ୍କର ସ୍ବାବ 4 ଦିନ ବିତିଯାଇଥିଲେ ମଧ୍ୟ ସଂଗ୍ରହ କରାଯାଇ ନଥିବାରୁ ଗ୍ରାମବାସୀ ଅସନ୍ତୋଷ ଜାହିର୍ କରିଥିଲେ | ଗାଆଁକୁ ଯାଇଥିବା ସ୍ବାସ୍ଥ୍ୟ ଟିମ ଲୋକଙ୍କୁ ବୁଝାଶୁଝା କରି ବହୁ କଷ୍ଟରେ ମନମୁଣ୍ଡା ଫେରିଥିଲେ l ଆକ୍ରାନ୍ତଙ୍କୁ କୋଭିଡ୍ ହସପିଟାଲ ସ୍ଥାନାନ୍ତର ଓ କଣ୍ଟାକ୍ଟ ଟ୍ରେସିଂରେ ଆସିଥିବା ଲୋକଙ୍କ ସ୍ବାବ ନମୂନା ସଂଗ୍ରହ ମଂଗଳବାର ଦିନ କରାଯିବାକୁ ପ୍ରତିଶ୍ରୁତି ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ଦେଇଥିବା ଜଣାପଡିଛି l

Comments (0)
Add Comment