୫-ଟି ସଚିବଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନର ସମୀକ୍ଷା

କୋକସରା,୧୮/୫: ୫-ଟି ସଚିବ ଭି. କେ. ପାଣ୍ଡିଆନ ୧୯ ଓ ୨୦ ଦୁଇଦିନିଆ କଳାହାଣ୍ଡି ଗସ୍ତରେ ଆସୁଛନ୍ତି । ଜିଲ୍ଲାର ୧୩ଟି ବ୍ଳକରେ ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଥିବାବେଳେ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନର ସ୍ଥିତି ଅନୁଧ୍ୟାନ ସହ ସମୀକ୍ଷା ଜାରି ରହିଛି । କୋକସରା ବ୍ଳକର ଆମପାଣି ବୁଢ଼ାରାଜା ମନ୍ଦିର ଠାରେ ୫-ଟି ସଚିବ ବ୍ଳକର ବିଭିନ୍ନ ସମସ୍ୟା ଉପରେ ଜନସାଧାରଣଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ତେଣୁ ଆମପାଣି ଠାରେ ପ୍ରାୟ ୫ ହଜାରରୁ ଉର୍ଦ୍ଧ ଜନସମାଗମ ସହ ସେମାନଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହାପରେ ଐତିହାସିକ ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ଆଜି କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପାୱାର ସଚିନ, କୋକସର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗ, ତହସିଲଦାର ଦେବବ୍ରତ କରାଟି, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଧର୍ମଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ଧିରଜ କୁମାର ଚୋପଦାର, ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ ପ୍ରମୁଖ ବ୍ଳକର ଆମପାଣି ବୁଢ଼ାରଜା ମନ୍ଦିର ଓ ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀ ଚଞ୍ଚରାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେହିପରି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଆମପାଣି କାର୍ଯ୍ୟକ୍ରମ ପଡ଼ିଆର ସମୀକ୍ଷା କରିଛନ୍ତି । ତାଙ୍କ ସହିତ ଧର୍ମଗଡ଼ ବିଧାୟକ ମୌଷଧୀ ବାଗ, ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଜିଲ୍ଲା ବିଜେଡ଼ି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଧର୍ମଗଡ଼ ବିଧାୟକଙ୍କ କୋକସରା ପ୍ରତିନିଧି ମାନସ ରଞ୍ଜନ ବାଗ, ବ୍ଳକ ବିଜେଡି ସଭାପତି ସୁଶାନ୍ତ ବେହେରା, ଛାତ୍ର ବିଜେଡ଼ି ସଭାପତି ମାନସ ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।

Comments (0)
Add Comment