ବିଶିଷ୍ଟ କୋସଲବାଦୀ ନେତା, ପୂର୍ବତନ ମନ୍ତ୍ରୀ କାର୍ତ୍ତିକ ତରିଆଙ୍କ ବିୟୋଗରେ କୋସଲ ରାଜ୍ୟ ସମନ୍ୱୟ ସମିତିର ଶୋକ

ବଲାଙ୍ଗୀର: କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ସଭାପତି ମଣ୍ଡଳୀ ସଦସ୍ୟ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଆଇନଜୀବୀ କାର୍ତ୍ତିକ ତରିଆଙ୍କ ତିରୋଧାନ ହୋଇଯାଇଛି । ଗତକାଲି ୭୦ ବର୍ଷ ବୟସରେ ଶ୍ରୀ ତରିଆ ଇହଧାମ ତ୍ୟାଗ କରିଛନ୍ତି । ଶ୍ରୀ ତରିଆ ଜଣେ ସୁନାମଧନ୍ୟ ଆଇନଜ୍ଞ, ରାଜନେତା ତଥା ସୁସଂଗଠକ ଥିଲେ । ଗତ କିଛି ବର୍ଷ ହେଲା ସେ ସକ୍ରିୟ ଭାବରେ କୋସଲ ମୁକ୍ତି ଆନ୍ଦୋଳନ ସହ ଜଡିତ ରହିଥିଲେ । ଶ୍ରୀ ତରିଆ ବିଭିନ୍ନ ସମୟରେ କୋସଲ ରାଜ୍ୟ ସମନ୍ୱୟ ସମିତିର ସୁବର୍ଣ୍ଣପୁର ଜିଲ୍ଲା ସଭାପତି, ବଲାଙ୍ଗିର ଲୋକସଭା ନିର୍ବାଚନ ମଣ୍ଡଳୀର ସଭାପତି ମଣ୍ଡଳୀ ସଦସ୍ୟ ଓ କେନ୍ଦ୍ରୀୟ ସଭାପତି ମଣ୍ଡଳୀର ସଦସ୍ୟ ରୂପେ କୋସଲ ମୁକ୍ତି ଆନ୍ଦୋଳନର ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଯୋଗଦାନ କରୁଥିଲେ । ଶ୍ରୀ ତରିଆଙ୍କ ସୁମୁଦୀ ପ୍ରଫେସର ଜୟଦେବ ଡନସେନା ମଧ୍ୟ କୋସଲ ମୁକ୍ତି ଆନ୍ଦୋଳନରେ ସକ୍ରିୟ ଅଛନ୍ତି । ବୀରମହାରାଜପୁର ବାର୍ ଏସୋସିଏସନର ସଭାପତି ରୂପେ ଶ୍ରୀ ତରିଆ ହାଇକୋର୍ଟ ବେଞ୍ଚ ଆନ୍ଦୋଳନରେ ମଧ୍ୟ ସକ୍ରିୟ ଥିଲେ । ଶ୍ରୀ ତରିଆଙ୍କ ବିୟୋଗ କୋସଲ ମୁକ୍ତି ଆନ୍ଦୋଳନ ପାଇଁ ଏକ ଅପୂରଣୀୟ କ୍ଷତି ତଥା ତାଙ୍କ ବିୟୋଗରେ କୋସଲ ଆନ୍ଦୋଳନରେ ବିଭିନ୍ନ ସାମାଜିକ ଆନ୍ଦୋଳନରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ଶ୍ରୀ ତରିଆଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇ କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ମତବ୍ୟକ୍ତ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୟ ଉପାଧ୍ୟକ୍ଷ ମରୋରଂଜନ ସିଂ ବରିହା, ମନୋରଂଜନ ସାହୁ, ସାଧାରଣ ସଂପାଦକ ସୁନୀଲ ପୁରୋହିତ, ବିଭୂଦତ୍ତ ମିଶ୍ର, ପ୍ରଶାନ୍ତ ମାଝୀ, ସଂପାଦକ ମଣ୍ଡଳୀ ସଦସ୍ୟ ଲଳିତ କୁମାର ସାହୁ, ସୁରେନ୍ଦ୍ର ସାହୁ, ରାମଚନ୍ଦ୍ର ଅମାତ, ସୁରେନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ ପ୍ରମୋଦ ଝାଙ୍କର, କୋସଲ ଯୁବ ସମନ୍ୱୟ ସମିତିର ରାଜ୍ୟ ସଭାପତି ଡୋଳାମଣି ପ୍ରଧାନ ପ୍ରମୁଖ ଶ୍ରୀ ତରିଆଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।

Comments (0)
Add Comment