ମା’ ସୁରେଶ୍ୱରୀଙ୍କ ଗାଥା ଉପରେ କୋଶଲି ଭଜନକୁ ଲୋକାର୍ପିତ କଲେ ଜଷ୍ଟିସ ସି.ଆର ଦାଶ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀଙ୍କ ମନ୍ଦିର ପରିସରରେ “ମା ସୁରେଶ୍ୱରୀ ଘେନ ଜୁହାର’ ନାମକ ଏକ କୋଶଲି ଭଜନ ସଂଗୀତର ଲୋକାର୍ପଣ ଉତ୍ସବ ପାଳନ ହୋଇଯାଇଛି । ପ୍ରଥମେ ପୂଜକ କାଳୀ ପ୍ରସାଦ ମିଶ୍ରଙ୍କ ଦ୍ୱାରା ମାଙ୍କ ମଙ୍ଗଳ ଆଳତୀ କରାଯାଇ ଆଜ୍ଞାମାଳ ପହଞ୍ଚି ଥିଲା । ଏହି ଉତ୍ସବର ମୁଖ୍ୟ ଅତିଥି ତଥା ମାଙ୍କ ପରମ ଭକ୍ତ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ ଏହି ଭଜନ ସଂଗୀତକୁ ଲୋକାର୍ପଣ କରି ଆମ ସଂସ୍କୃତି ଆମ ସଂସ୍କାର ଏଇ ଆମ ସୋନପୁରର ପରିଚୟ ବୋଲି ମତ ରଖି ଏହି ମାଟି ଓ ମନ୍ଦିର ମାଳିନୀ ସହରର ସୌନ୍ଦର୍ଯ୍ୟ ଓ ସୁରକ୍ଷା ପ୍ରତି ସମସ୍ତେ ଯତ୍ନବାନ ହୋଇ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ଏହି ଅବସରରେ ଉଦ୍ୟୋକ୍ତା ଲେଖକ ସୁଦାମ ନାଏକ, ପଠାନ କଲ୍ୟାଣୀ ପଣ୍ଡା ଓ ଟି ସୌରୀ ଟିମ, ମ୍ୟୁଜିକ ଡାଇରେକ୍ଟର ବ୍ରହ୍ମା କୁମାରଙ୍କୁ ଭୁୟସୀ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ସୁବର୍ଣ୍ଣପୁର ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା, ଏସପି ଅମରେଶ ପଣ୍ଡା, ଏଡିଏମ ସୂର୍ଯ୍ୟ ନାରାୟଣ ଦାଶ, ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ, କୃଷକ ନେତା ବୈକୁଣ୍ଠ ଶତପଥୀ, ପ୍ରାକ୍ତନ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ପ୍ରାକ୍ତନ ପୌର ଅଧ୍ୟକ୍ଷ ପ୍ରକାଶଚନ୍ଦ୍ର ସାହୁ ଯୋଗ ଦେଇ ଯନ୍ତ୍ର ମନ୍ତ୍ର ତନ୍ତ୍ର ପୀଠ ସୁବର୍ଣ୍ଣପୁରର ଐତିହ୍ୟ, ସଂସ୍କୃତି, ପରମ୍ପରା ଓ ମା ଅଷ୍ଟ ଚଣ୍ଡୀଙ୍କ ଉପରେ ଆଧାରିତ ମା ସୁରେଶ୍ୱରୀଙ୍କ ଏହି ଆକର୍ଷଣୀୟ କୋଶଲି ଭଜନଟି ମାଙ୍କ ଅଗଣିତ ଭକ୍ତ ଶ୍ରଦ୍ଧାଳୁଙ୍କ ମନ ଓ ହୃଦୟକୁ ଛୁଇଁ ପାରିବ ବୋଲି ମତ ରଖିଥିଲେ । ସଭାରେ ସହରର ସମସ୍ତ ମିଡ଼ିଆ ପ୍ରତିନିଧି ଓ ବୁଦ୍ଧିଜୀବୀ ଯୋଗ ଦେଇଥିବା ବେଳେ ଆସନ୍ତା ଦୀପାବଳୀ ବେଳେ ‘ମା ର ଗୁନ ଗାଥା’ ଫିଲ୍ମି ସୁଟିଙ୍ଗର ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

Comments (0)
Add Comment