ବିନା ଭକ୍ତରେ ଅନୁଷ୍ଠିତ ହେବ ମାଘମେଳା : ଭୀମ ଭୋଇଙ୍କ ସମାଧି ପୀଠ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦ୍ଦେଶ କ୍ରମେ ଉପ ଜିଲ୍ଲାପାଳ ନିହାର ରଞ୍ଜନ କହଁର ଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ଠାରେ ଚଳିତ ବର୍ଷ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମାଘମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଓମିକ୍ରନ ସଂକ୍ରମଣ ଦୃଷ୍ଟିରୁ ଜନସାଧାରଣଙ୍କ ସୁରକ୍ଷା ପ୍ରତି ଧ୍ୟାନ ପ୍ରଦର୍ଶନ ପୂର୍ବକ ମାଘମେଳାର ଆନୁସଙ୍ଗିକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିବା ବେଳେ କେବଳ ନୀତିକାନ୍ତି ସହ ପୂଜାର୍ଚ୍ଚନା କରାଯିବ ।
ବୈଠକର ନିଷ୍ପତ୍ତି ମୁତାବକ ମେଳାରେ କୌଣସି ଦୋକାନ ବଜାର, ମିନାବଜାର ଆଦିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବାବେଳେ ବାହାର ଦୋକାନ ବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ, ସାହିତ୍ୟ ସମାରୋହ ପ୍ରଭୁତିକୁ ମଧ୍ୟ ବାରଣ କରାଯାଇଥିବା ସୂଚନା ଦିଆଯାଇଛି । ମେଳା ଦିନ ଗୁଡିକରେ ଭକ୍ତ, ଶ୍ରଦ୍ଧାଳୁ ତଥା ସର୍ବସାଧାରଣଙ୍କ ଦର୍ଶନକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି । ଚଳିତବର୍ଷ ସମାରୋହକୁ ନିରାଡମ୍ବର ସହ ସରକାରଙ୍କ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ନୀତିକାନ୍ତି ମଧ୍ୟରେ ହିଁ ସୀମିତ ରଖାଯିବ । ଆଜିର ଏହି ବୈଠକରେ ସୋନପୁର ଉପଖଣ୍ଡ ଆରକ୍ଷୀଅଧିକ୍ଷକ ପୁଷ୍ପାଞ୍ଜଳୀ ନିଙ୍ଗୀ,ବିଡ଼ିଓ ସୋନପୁର, ସୌମ୍ୟ ରଞ୍ଜନ ସ୍ୱାଇଁ, ତହସିଲଦାର ନବୀନ କିଶୋର ପାଢ଼ୀଙ୍କ ସମେତ ମ୍ୟାନେଜିଂ ଟ୍ରଷ୍ଟି ଛତ୍ରଧାରୀ ଅଗ୍ରୱାଲ, ଟ୍ରଷ୍ଟ ସମ୍ପାଦକ ଜନ୍ମେଜୟ ସ୍ୱାଇଁ, ପୀଠ ମହନ୍ତ ବାବା ସନ୍ୟାସୀ ଦାସ, କମିଟି ସଦସ୍ୟ ସୁମନ୍ତ ପଟେଲ, ମହାଦେବ ବଗର୍ତ୍ତୀ, କାର୍ତ୍ତିକ ଭୋଇ, ରଘୁନାଥ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Comments (0)
Add Comment