କନ୍ଧମାଳରେ ପୁଣି ସ୍ଥିତି ଜାହିର କଲା ମାଓ ସଙ୍ଗଠନ

ବାଲିଗୁଡ଼ା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ କନ୍ଧମାଳରେ ପୁଣି ସ୍ଥିତି ଜାହିର କଲା ମାଓ ସଙ୍ଗଠନ । ଗତ କିଛିଦିନ ପୂର୍ବରୁ ତୁମୁଡ଼ିବନ୍ଧ ଥାନା ବେନାରବାହାଲ ଅଞ୍ଚଳରେ ମାଓ ପୋଷ୍ଟର ଜାରି ହୋଇଥିବା ବେଳେ ଗତକାଲି ଫିରିଙ୍ଗିଆ ଥାନା ଅଞ୍ଚଳରେ ରାସ୍ତା କାମକୁ ବିରୋଧ କରି ଲଙ୍କାକାଣ୍ଡ ଭିଆଇଥିଲେ ମାଓବାଦୀ । ରାସ୍ତା କାମରେ ନିୟୋଜିତ ହୋଇଥିବା ତ୍ରିଶକ୍ତି ଠିକା ସଂସ୍ଥାର ତିନୋଟି ଗାଡ଼ି ପୋଡ଼ି ଦେଇଥିବାବେଳେ ଆଜି ବାଲିଗୁଡ଼ା ବିଜ୍ଞାପିତ ପରିଷଦ ଅଞ୍ଚଳର ସୁନାପାଙ୍ଗା, ପଣଷପଡ଼ି,ନୁଆସାହି ଭଳି ବିଭିନ୍ନ ସ୍ଥାନରେ କେକେବିଏନ୍‌ ମାଓ ସଂଗଠନ ପକ୍ଷରୁ ବ୍ୟାନର ଓ ପୋଷ୍ଟର ଜାରି ହୋଇଥିବା ଦେଖିବାକୁ ମିଳିଛି । ନୋଟ୍‌ ଦେଇ ଭୋଟ୍‌ ହାତେଇବା ଧନତନ୍ତ୍ରରେ ଗଣତନ୍ତ୍ର ନାହିଁ, ପ୍ରକୃତ ଗଣତନ୍ତ୍ର ପାଇଁ ନିର୍ବାଚନ ବର୍ଜନ କରି ଗଣ ପ୍ରିୟ ବିପ୍ଳବୀ ଲୋକ ସରକାର ଗଢ଼ ବୋଲି ପୋଷ୍ଟରରେ ଉଲ୍ଲେଖ ଥିବା ଜଣାପଡ଼ିଛି । ସେପଟେ ଆସନ୍ତା ୧୬ ତାରିଖରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ୍‌ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ମାଓବାଦୀଙ୍କ ସ୍ଥିତି ଜାହିର ପୋଲିସ୍‌ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ପୋଷ୍ଟର ବ୍ୟାନର ଲାଗିଥିବା ସ୍ଥାନରେ ପୋଲିସ ପହଁଚି ପୋଷ୍ଟର ବ୍ୟାନର ଜବତ କରିଥିବା ଜଣାପଡ଼ିଛି । ଅନ୍ୟପଟେ ଘଟଣାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ଜଣାପଡ଼ିଛି ।

Comments (0)
Add Comment