ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଜାର୍ଗୀ ଗ୍ରାମରେ ଅଭାବନୀୟ ଘଟଣା । ଚୁଆରୁ ଉଦ୍ଧାର ହେଲା ୭ ବର୍ଷର ନାବାଳିକାଙ୍କ ମୃତଦେହ । ମୃତକ ଜାର୍ଗୀ ଗ୍ରାମର ମନଙ୍କ ମଳିକଙ୍କ ୭ ବର୍ଷର ଝିଅ ବିୟୁଟି ମଳିକ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଗତକାଲି ଗାଁରେ ଏକ ବାହାଘର ଭୋଜି ଚାଲିଥିଲା । ସକାଳ ପ୍ରାୟ ୧୦ ଟା ଠାରୁ ନିଖୋଜ ଥିଲା ନାବାଳିକା ବିୟୁଟି । ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ବିୟୁଟିର କୌଣସି ସନ୍ଧାନ ନପାଇବାରୁ ବାରଖମା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପ୍ରକାରେ ବାରଖମା ଫାଣ୍ଡି ଅଧିକାରୀ ଅମରେନ୍ଦ୍ର ବାହୁବଳୀ ସୁବୁଦ୍ଧି ନିଜ ଟିମ୍ ସହ ଜାର୍ଗୀ ଗାଁ ସମେତ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ । ତେବେ ଆଜି ସକାଳେ ଗାଁ ର ଏକ ଚୁଆରେ ବିୟୁଟିର ଶବ ଭାସୁଥିବା ଦେଖି ପରିବାର ଲୋକେ ପୁଣି ପୋଲିସକୁ ଜଣାଇଥିଲେ । ଖବରପାଇ ଘଟଣାସ୍ଥଳରେ ବାରଖମା ଫାଣ୍ଡି ଅଧିକାରୀ ଅମରେନ୍ଦ୍ର ବାହୁବଳୀ ସୁବୁଦ୍ଧି ପହଁଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ୍ । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୋ ଝିଅର କୌଣସି ରୋଗ ନଥିଲା,ଝିଅକୁ କେହି ଚୁଆ ଭିତରକୁ ଠେଲି ଦେଇଥିବା ଯୋଗୁଁ ତା’ର ମୃତ୍ୟୁ ଘଟିଥିବା କହିଛନ୍ତି ମୃତ ନାବାଳିକାଙ୍କ ବାପା ମନଙ୍କ ମଲ୍ଲିକ ।