ସଂସଦରେ ନବୀନଙ୍କୁ ପ୍ରଂଶସା କଲେ ମୋଦୀ

ନୂଆଦିଲ୍ଲୀ,୮/୨ : ଦଳ ଭିନ୍ନ ହେଲେ ମଧ୍ୟ କୌଣସି ଏକ ସରକାରଙ୍କ ରଚନାତ୍ମକ ତଥା ସହଯୋଗମୂଳକ କାର୍ଯ୍ୟକୁ ଅନ୍ୟ ଏକ ଦଳର ସରକାର ପ୍ରଶଂସା କରିବାର ନଜିର ରହିଛି । ସେହିଭଳି ଏକ ଦୃଷ୍ଟାନ୍ତ ଆଜି ଦେଖିବାକୁ ମିଳିଛି । ଆଜି ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ପ୍ରସଙ୍ଗ ଉପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଦେବା ଅବସରରେ ନିଜ ଭାଷଣରେ ସେ ନବୀନ ସରକାରଙ୍କୁ ପ୍ରଶଂସା କରିଛନ୍ତି । କୋଇଲା ସଂସ୍କାର କ୍ଷେତ୍ରରେ ଓଡ଼ିଶା ସରକାରଙ୍କର ଅକୁଣ୍ଠ ସହଯୋଗ ପାଇଁ ସେ ନବୀନଙ୍କୁ କୃତଜ୍ଞତା ଜଣାଇବା ସହ ତାଙ୍କର ଉଚ୍ଚ ପ୍ରଶଂସା ମଧ୍ୟ କରିଥିଲେ । ସେ କହିଥିଲେ ଯେ କେନ୍ଦ୍ର ସରକାର କୋଇଲା ଓ ମାଇନିଂ କ୍ଷେତ୍ରରେ ସଂସ୍କାର ଆଣୁଛନ୍ତି । ଏହି ସଂସ୍କାର ପ୍ରକ୍ରିୟା ବେଶ୍‌ ଉଲ୍ଲେଖନୀୟଭାବେ ଅଗ୍ରସର ହେଉଛି । କେନ୍ଦ ସରକାର୍ରର ଆଭିମୁଖ୍ୟକୁ ସମର୍ଥନ କରୁଛନ୍ତି ଓଡିଶା ସରକାର । କେନ୍ଦ୍ର ସରକାରଙ୍କ ସହ କାନ୍ଧରେ କାନ୍ଧ ମିଳାଇ କାମ କରୁଛନ୍ତି ଓଡିଶା ସରକାର । କୋଇଲା ଓ ଖଣି ନିଲାମ ହେବା ଦ୍ୱାରା ଯେଉଁ ରାଜସ୍ୱ ଆସିଛି, ତାହା ରାଜ୍ୟକୁ ମିଳିଛି । ଆଉ ରାଜ୍ୟର ଲାଭ ହେବା ଦ୍ୱାରା ଦେଶର ମଧ୍ୟ ଲାଭ ହେଉଛି । ଏହାହିଁ ସଂଘୀୟ ବ୍ୟବସ୍ଥାର ଉଦାହରଣ ବୋଳି କହି ସେ ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଗୋଟିଏ ପଟେ ନବୀନ ସରକାରଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଥିବା ବେଳେ ଅନ୍ୟପଟେ କଂଗ୍ରେସ ଉପରେ ବର୍ଷିଛନ୍ତି । ମୋଦୀ କହିଛନ୍ତି, ମୁଁ ଯେତେବେଳେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ମୋ ଉପରେ ଦିଲ୍ଲୀ ସରକାର ପକ୍ଷରୁ ବିଭିନ୍ନ ପ୍ରକାର ଜୁଲୁମ କରାଯାଇଥିଲା । ଇତିହାସ ଏହାର ସାକ୍ଷୀ ଅଛି । ଦିଲ୍ଲୀରେ କାହାର ସରକାର ଅଛି, ସେନେଇ ଅଧିକ ଭାବୁନଥିଲି ବରଂ ଦେଶର ବିକାଶ ପାଇଁ ଗୁଜୁରାଟର ବିକାଶ ହେବା ଦରକାର ବୋଲି ଭାବୁଥିଲି । କିଛି ଲୋକ ଭାବୁଛନ୍ତି, ଭାରତ ୧୯୪୭ ପରେ ଜନ୍ମ ନେଇଛି । ଆଉ ଏଭଳି ଭାବନା ହିଁ ସମସ୍ୟା ସୃଷ୍ଟି କରୁଛି । ଯେଉଁମାନଙ୍କୁ ୫୦ ବର୍ଷରୁ ଅଧିକ ସମୟ ଧରି କାମ କରିବାକୁ ସୁଯୋଗ ମିଳିଥିଲା, ସେମାନେ କିଛି କଲେ ନାହିଁ । ୧୯୭୫ରେ ଗଣତନ୍ତ୍ର ତଣ୍ଟି ଚିପି ଥିବା ଦଳକୁ ଗଣତନ୍ତ୍ର ଉପରେ କହିବାର ଆବଶ୍ୟକତା ନାହିଁ । ଭାରତର ଗଣତନ୍ତ୍ର ପାଇଁ ସବୁଠୁ ବଡ ବିପଦ ହେଉଛି ପରିବାରବାଦ । ଦଳରେ ଯେତେବେଳେ କୌଣସି ପରିବାର ସର୍ବଶକ୍ତିମାନ ହୋଇଯାଏ ସେତେବେଳେ ଅନେକ ପ୍ରତିଭାଙ୍କର ମୃତ୍ୟୁ ହୋଇଥାଏ ବୋଲି ସେ କହିଥିଲେ ।

Comments (0)
Add Comment