୧୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଚୋରି ଘଟଣା : ଜଣେ ଗିରଫ, ବୁଲେଟ୍‌ ଓ ବାଇକ ଉଦ୍ଧାର

ରାୟଗଡା: ଚଳିତ ମାସ ଡିସେମ୍ବର ୧୨ ତାରିଖ ବିଳମ୍ବିତ ରାତ୍ରରେ ରାୟଗଡା ଟାଉନ ଥାନା ଅନ୍ତର୍ଗତ ସହରର ସାଇ ଇଣ୍ଟରନ୍ୟାସନାଲ ରୋଡରେ ଥିବା ଅନଲାଇନ ସାମଗ୍ରୀ ବୁକିଂ ଓ ଡେଲିଭରି ସଂସ୍ଥା ଇନଷ୍ଟାକାର୍ଟ ସର୍ଭିସ ପ୍ରାଇଭେଟ୍‌ ଲିମିଟେଡ୍‌ର ସଟର ତାଡି ୧୨ଲକ୍ଷ୧୮୦୪୮ଟଙ୍କା ଚୋରି ଘଟଣାରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳତା ପାଇଥିବା ନେଇ ଆଜି ସ୍ଥାନୀୟ ଜିଲ୍ଳା ପୋଲିସ କାର୍ଯ୍ୟାଳୟରେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଗିରଫ ଅଭିଯୁକ୍ତ ଜଣକ ହେଲେ ରାୟଗଡା ଜିଲ୍ଳା ଶେଷଖାଲ ଥାନା ଅନ୍ତର୍ଗତ ନନ୍ଦାବାଡି ଗ୍ରାମର ତିଙ୍ଗଣା ମାଣ୍ଡାଙ୍ଗିଙ୍କ ପୁଅ ଅଭିଷି ରାଓ ମାଣ୍ଡାଙ୍ଗି (୨୫) । ତା’ଠାରୁ ନଗଦ ୭ଲକ୍ଷ ୭୫୦୦ଟଙ୍କା ଉଦ୍ଧାର କରାଯାଇଥିବା ବେଳେ ଗୋଟିଏ ନମ୍ବର ବିହିନ ନୂଆ ବୁଲେଟ୍‌ ସହ ଏକ ହୋଣ୍ଡା ସିପି ସାଇନ୍‌ (ଓଡି୧୮-ଜେ-୬୯୫୯) ବାଇକ୍‌ ଏବଂ ଚୋରି କରିବା ପାଇଁ ଅଭିଯୁକ୍ତ ବ୍ୟବହାର କରୁଥିବା ଗୋଟିଏ ଶାବଳ,ଦୁଇଟି ଲୁହାଛଡ ଜବତ କରାଯାଇଛି । ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଏସପି ସୂଚନା ପ୍ରଦାନ କରିଛନ୍ତି ।

ଚୋରି ଘଟଣାରେ ଜଣେ ଗିରଫ

ଅଭିଯୁକ୍ତ ଅଭିିଷି ନାମରେ ରାୟଗଡା ଥାନା କେସ୍‌ ନମ୍ବର ୨୮୯/୨୦୨୧ ସହ ଏହା ପୂର୍ବରୁ କେସ ନମ୍ବର ୧୪୯/୨୦୧୮ ଓ ୨୦୦/୨୦୨୧ଏବଂ ଶେଷଖାଲ ଥାନା କେସ ନମ୍ବର ୫୧/୨୦୧୫ରେ ମାମଲା ରୁଜୁ ଥିବା ଏସ.ପି.ସୂଚନା ପ୍ରଦାନ କରିଛନ୍ତି । ଘଟଣାକୁ ନେଇ ଏସି.ପି.ଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ଗତ ଡିସେମ୍ବର ୧୨ ତାରିଖ ବିଳମ୍ବିତ ରାତ୍ର ୩ ଘଣ୍ଟା ୪୦ମିନିଟ୍‌ରେ ଇନଷ୍ଟାକାର୍ଟ ସର୍ଭିସ ସଂସ୍ଥାର ମ୍ୟାନେଜର ପିକଲ ଲକ୍ଷ୍ମୀ ନାରାୟଣ ଦୋକାନ ପାଇଁ ଆସିଥିବା ଲୋଡ ଗ୍ରହଣ କରିବାକୁ ଆସିଥିବା ବେଳେ ଦୋକାନ ସଟର ଭାଙ୍ଗିଥିବା ଦେଖିବାକୁ ପାଇ ରାୟଗଡା ଥାନାକୁ ଜଣାଇଥିଲେ । ପରେ ଘଟଣାସ୍ଥଳରେ ପୋଲିସ ପଂହଚିବା ପରେ ଦୋକାନ ଭିତରେ ଥିବା ଗୋଟିଏ ଆଲମିରା ଲକର ଏବଂ ଦୁଇଟି ଗଦରେଜ୍‌ କମ୍ପାନୀ କ୍ୟାସ୍‌ ଲକର ଭଙ୍ଗାଯାଇ ୧୨ଲକ୍ଷ ୧୮୦୪୮ଟଙ୍କା କେହି ଦୁର୍ବୃତ୍ତ ଚୋରି କରି ନେଇଥିବା ଜାଣିବାକୁ ପାଇଥିଲେ । ଏ ନେଇ ମ୍ୟାନେଜର ଥାନାରେ ଏତଲା ଦେବା ପରେ ଅଭିଯୋଗକୁ ଭିତ୍ତି କରି ରାୟଗଡା ଥାନା ଅତିରିକ୍ତ ଥାନା ଅଧିକାରୀ ଶ୍ରୀମତି ସୁମତି ମହାନ୍ତିଙ୍କ ସମେତ ଏସଆଇ ସୈାମ୍ୟରଂଜନ ପତି ଏବଂ ଏଏସଆଇ କେ.ସିଏଚ.ବେହେରା ତଦନ୍ତକାରୀ ଅଧିକାରୀ ଭାବେ ତଦନ୍ତ ଆରମ୍ଭ କରିଥିଲେ ।

ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ଓ ଅନ୍ୟ ସ୍ଥାନଗୁଡିକରୁ ମିଳିଥିବା ଫୁଟେଜ ଏବଂ ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତ ଅଭିଷିକୁ ରାୟଗଡା ସହରରୁ ଗିରଫ କରିବାରେ ସଫଳ ହୋଇଥିବା ନେଇ ଏସ.ପି.ଶ୍ରୀ ଶର୍ମା ପ୍ରକାଶ କରିଥିଲେ । ଘଟଣାରେ ଆଉ କେହି ଅଭିଯୁକ୍ତଙ୍କ ସଂପୃକ୍ତି ନେଇ ତଦନ୍ତ ଜାରି ରହିଥିବା ବେଳେ ବର୍ତ୍ତମାନ କୋଭିଡ୍‌ କଟକଣା ଶେଷ ହୋଇନାହିଁ ଏବଂ ତୃତୀୟ ଲହରର ସମ୍ଭାବନା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସତର୍କ କରାଇଥିବାରୁ ରାୟଗଡା ଜିଲ୍ଳାବାସୀ ସଚେତନ ହୋଇ ସାବଧାନତା ଓ ସତର୍କତା ସହ କୋଭିଡ ନିୟମ ପାଳନ କରି ନିୟମିତ ଭାବେ ମାସ୍କ ପରିଧାନ କରିବା, ସାମାଜିକ ଦୂରତା ବଜାୟ ରଖିବା, ଜନଗହଳି ସ୍ଥାନରୁ ନିଜକୁ ଦୂରେଇ ରଖିବା ପାଇଁ ଏସ.ପି.ଶ୍ରୀ ଶର୍ମା ପରାମର୍ଶ ଦେବା ସହ ଟ୍ରାଫିକ୍‌ ନିୟମକୁ କଡାକଡି ଭାବେ ପାଳନ କରି ବାଇକ୍‌ ଚଳାଇବା ବେଳେ ହେଲମେଟ୍‌ ବ୍ୟବହାର କରିବ, ମୋବାଇଲରେ କଥା ହୋଇ ବାଇକ୍‌ ନ ଚଳାଇବା, ଦ୍ରୁତ ଗତିରେ ଗାଡି ନ ଚଳାଇବା ପ୍ରତି ଧ୍ୟାନ ଦେଇ ସଡକ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ନିବେଦନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଅନନ୍ତ ନାରାୟଣ ମହାନ୍ତି,ଏସଡିପିଓ ଦିବ୍ୟଜ୍ୟୋତି ଦାସ,ଥାନା ଅଧିକାରୀ ରଶ୍ମିରଂଜନ ପ୍ରଧାନ,ଏସ.ଆଇ.ସଂଜୟ ଛତର, ସନ୍ଧ୍ୟାରାଣୀ ଟାକ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

More than Rs 12 lakh was stolenଚୋରି ଘଟଣାରେ ଜଣେ ଗିରଫ
Comments (0)
Add Comment